ଜମ୍ମୁ ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ବିସ୍ଫୋରକ ଡ୍ରୋନର ଆକ୍ରମଣ । ପାକିସ୍ତାନୀ ଆତଙ୍କୀ ଗୋଷ୍ଠୀ ଡ୍ରୋନ ଆକ୍ରମଣ କରିଥିବା ନେଇ ପ୍ରାଥମିକ ସୂଚନା ।

132

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନ ଉପରେ ଡ୍ରୋନ ସହାୟତାରେ ଆକ୍ରମଣ ସାରାଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମାତ୍ର ୫ ମିନଟ୍ ବ୍ୟବଧାନରେ ହୋଇଥିଲା ୨ଟି ବିସ୍ଫୋରଣ । ଅବଶ୍ୟ ଏହି ବିସ୍ଫୋରଣରେ ଦୁଇ ଜଣ ସାମାନ୍ୟ ଆହତ ହୋଇଛନ୍ତି ଏବଂ ବିଶେଷ କିଛି କ୍ଷୟକ୍ଷତି ଘଟିନାହିଁ । ଜମ୍ମୁକାଶ୍ମୀର ପୋଲିସ ଡିଜି କହିଛନ୍ତି ଏହା ଆତଙ୍କବାଦୀ ଆକ୍ରମଣ । ପୋଲିସ ଡିଜିଙ୍କ ଏହି ବୟାନ ପରେ ଚିନ୍ତା ବଢିଯାଇଛି କାରଣ ଡ୍ରୋନ୍ ସହାୟତାରେ ଏପରି ଆକ୍ରମଣ ଦେଶରେ ପ୍ରଥମ ଥର ଦେଖିବାକୁ ମିଳିଛି ।

ଶନିବାର ରାତି ପ୍ରାୟ ୧.୩୭ ମିନିଟ୍ ଏବଂ ଠିକ୍ ୫ ମିନିଟ ପରେ ୧.୪୨ ମିନିଟରେ ଆଉ ଏକ ବିସ୍ଫୋରଣ ଘଟିଥିଲା । ବୈଷୟିକ ସାମଗ୍ରୀ ଥିବା ଟେକନିକାଲ ଏରିଆରେ ଏହି ଆକ୍ରମଣ ହୋଇଛି । ଏଠାରେ ଭାରତୀୟ ବାୟୁସେନାର ଲଢୁଆ ହେଲିକପ୍ଟର ସବୁ ପାର୍କ କରାଯାଏ । ଏ ସବୁ ଟାର୍ଗେଟରେ ଥିଲା ବୋଲି ଅନୁମାନ କରାଯାଉଛି । ଡ୍ରୋନରେ ବିସ୍ଫୋରକ ସାମଗ୍ରୀ ଆଇଇଡି ମହଜୁଦ ଥିଲା । ପାକିସ୍ତାନ ବର୍ଡରଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଅବସ୍ଥିତ ଭାରତୀୟ ବାୟୁସେନା ଷ୍ଟେସନକୁ ସୀମା ସେପାରୀରୁ ଡ୍ରୋନ୍ ପଠାଯାଇଥିବା ନେଇ ପ୍ରାଥମିକ ସୂଚନା ମିଳୁଛି ।

ଏହି ଘଟଣା ପରେ ତଦନ୍ତ ଆରମ୍ଭ କରିଛି ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି, ଭାରତୀୟ ବାୟୁସେନା ଏବଂ ଜମ୍ମୁକାଶ୍ମୀର ପୋଲିସ । ସେପଟେ ପଂଜାବର ପଠାନକୋଟ ଏୟାରବେସରେ ହାଇଆଲର୍ଟ ଜାରି ହୋଇଛି । ୨ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି । ସନ୍ଦେହ କରାଯାଉଛି ଡ୍ରୋନ ଜରିଆରେ ବାୟୁସେନା ଷ୍ଟେସନ ଉପରେ ବିସ୍ଫୋରକ ସାମଗ୍ରୀ ପକାଯାଇଛି । ଆଉ ୫ରୁ ୬ କିଲୋର ଆଇଇଡି ଅର୍ଥାତ୍ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ୍ ଡିଭାଇସ ଜବତ ହୋଇଛି । ଏହି ଘଟଣା ପଛରେ ଲସ୍କର ଏ ତୋଇବାର ହାତ ସନ୍ଦେହ କରାଯାଉଛି । ଜନଗହଳି ସ୍ଥାନ ଉପରେ ଏହାକୁ ପକାଯିବାର ଯୋଜନା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପଂଜାବ ଓ ଜମ୍ମୁକାଶ୍ମୀରରେ ଥିବା ବିଭିନ୍ନ ଆତଙ୍କବାଦୀ ସଂଗଠନ ଗୁଡିକୁ ପାକିସ୍ତାନ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ପଠାଉଥିବା ନେଇ ସୂଚନା ରହିଛି । ପୂର୍ବରୁ ଅନେକ ଥର ସୀମାରେ ପାକିସ୍ତାନୀ ଡ୍ରୋନକୁ ଠାବ କରିଛି ବିଏସଏଫ୍ ।

ବର୍ତମାନ ଏହି ଡ୍ରୋନ୍ କେଉଁଠାରୁ ଆସିଥିଲା ଓ ବିସ୍ଫୋରଣ ପରେ ଏହାର ଗତିପଥ କୁଆଡେ ରହିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି । ଗୁଇନ୍ଦାବିଭାଗର ଜଣେ ଅଧିକାରୀ କହିଛନ୍ତି ଏହି ଡ୍ରୋନ୍ ସୀମା ଆରପଟୁ ଅର୍ଥାତ୍ ପାକିସ୍ତାନରୁ ଆସିଥିବା ସ୍ପଷ୍ଟ ଜଣାପଡୁଛି ।

Comments are closed.