କନକ ବ୍ୟୁରୋ : ଇରାନର କରମାନ ସହର ନିକଟ ଏକ କବରସ୍ଥାନରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସର୍ବନିମ୍ନ ୭୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ଇରାନର ସରକାରୀ ଟିଭି ଚ୍ୟାନେଲ ଅଲ ଅରବିୟା ରିପୋର୍ଟ ମୁତାବକ ଏହି କବରସ୍ଥାନରେ କମାଣ୍ଡର କାସିମ ସୁଲେମାନୀଙ୍କୁ କବର ଦିଆଯାଇଥିଲା । ରିପୋର୍ଟ ମୁତାବକ ଏହି କବରସ୍ଥାନ ନିକଟରେ ୨ଟି ବିସ୍ଫୋରଣ ଘଟିଛି । ବୁଧବାର ଦିନ ଇରାନବାସୀ କମାଣ୍ଡର ସୁଲେମାନୀଙ୍କ ମୃତ୍ୟୁବାର୍ଷିକ ସେହି କବରସ୍ଥାନ ନିକଟରେ ପାଳନ କରୁଥିଲେ ।
ଇରାନର ସରକାରୀ ସମାଚାର ଏଜେନ୍ସି ଆଇଆରଏନଏ ପ୍ରଥମେ ସୂଚନା ଦେଇଥିଲା କି, ଏହି ବିସ୍ଫୋରଣରେ ୧୨୦ ରୁ ଅଧିକ ଲୋକ ଆହାତ ହୋଇଛନ୍ତି । ସୂଚନା ମୁତାବକ କମାଣ୍ଡର କାସିମ ସୁଲେମାନୀଙ୍କ ମୃତ୍ୟୁ ବାର୍ଷିକ ପାଳନ କରିବାକୁ ଏହି କବରସ୍ଥାନ ନିକଟରେ ହଜାରତ ହଜାର ଲୋକ ରୁଣ୍ଡ ହୋଇଥିଲେ । ବାସ୍ ଏହି ସମୟରେ ଅଚାନକ ଦୁଇଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ କିଛି ଲୋକଙ୍କ ଜୀବନ ଯାଇଥିବା ବେଳେ ଧାଁଦଉଡ ବେଳେ କିଛି ଲୋକଙ୍କ ଜୀବନ ଯାଇଛି ।
କମାଣ୍ଡର କାସିମ ସୁଲେମାନୀ ହେଉଛନ୍ତି ଦୁଇ ଦଶନ୍ଧିର ଅଧିକ ସମୟ ଧରି ଇସଲାମିକ ରିଭୋଲେସନାରୀ ଗାର୍ଡ ଫୋର୍ସର ବିଦେଶୀ ଶାଖା କୁଦସ୍ ଫୋର୍ସର ନେତୃତ୍ୱ ନେଉଥିଲେ । ୨୦୨୦ ମସିହାରେ ଆମେରିକା ଯୁଦ୍ଧବିମାନ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା ।