ପ୍ରଚଣ୍ଡ ଶବ୍ଦ ପଛରେ କ’ଣ ରହିଛି କାରଣ ? ଗତକାଲି ୩ ଜିଲ୍ଲାର ଲୋକଙ୍କୁ ଛାନିଆ କରିଦେଇଥିଲା ବିସ୍ଫୋରଣ ଭଳି ଶବ୍ଦ

1,122

କନକ ବ୍ୟୁରୋ : ପ୍ରଚଣ୍ଡ ଶବ୍ଦ ପଛରେ କ’ଣ ରହିଛି କାରଣ । କେହି କହିପାରୁନାହାଁନ୍ତି ସଠିକ୍ କଥା । ଗତକାଲି ତିନି ଜିଲ୍ଲାର ଲୋକଙ୍କୁ ବିସ୍ଫୋରଣ ଭଳି ଶବ୍ଦ ଛାନିଆ କରିଦେଇଥିଲା । ୧୦୦ କିଲୋମିଟର ପର୍ଯ୍ୟନ୍ତ ସ୍ୱର ଶୁଭିଥିଲା । ଥରି ଉଠିିଲା ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ।

ଗତକାଲି ସକାଳ ପ୍ରାୟ ୧୦.୪୫ରେ  ସମସ୍ତେ ନିଜର ନିଜର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ଶୁଭିଲା । ଅନେକ ଏହାକୁ ଭୂକମ୍ପ ବୋଲି ମନେ କରିଥିଲେ । ତେବେ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଭୂକମ୍ପ ହୋଇନଥିବା ସ୍ପଷ୍ଟ କରିଛି । ବିଭାଗୀୟ ସୂଚନା ଅନୁସାରେ ଭୋର ୪ଟାରେ ମହାରାଷ୍ଟ୍ରରେ, ସକାଳ ୬ଟା ୩୮ରେ ତୁର୍କୀରେ, ସକାଳ ୭ଟାରେ ଅରୁଣାଚଳ ପ୍ରଦେଶ ଓ ସକାଳ ୯ଟା ୩୭ରେ ଆଫ୍‌ଗାନିସ୍ତାନରେ ଭୂକମ୍ପ ହୋଇଛି । ଓଡ଼ିଶାରେ ଭୂକମ୍ପର କୌଣସି ପ୍ରଭାବ ନଥିବା କୁହାଯାଇଥିଲା। ସେହି ସମୟରେ କୋରେଇ ବ୍ଲକ୍‌ର ଧନେଶ୍ବର ନିକଟ‌ରେ ଏକ କବାଡ଼ିଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା ।

କୌଣସି ବିସ୍ଫୋରକ ସାମଗ୍ରୀରୁ ଏପରି ଶବ୍ଦ ଶୁଣାଯାଇଥିବା ଚର୍ଚ୍ଚା ହୋଇଥିବା ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର,ଆରଆଇ ଏବଂ ଅଗ୍ନିଶମ ଅଧିକାରୀ ଅଗ୍ନିକାଣ୍ଡସ୍ଥଳରେ କୌଣସି ବଡ଼ ବିସ୍ଫୋରଣ ହୋଇନଥିବା ସ୍ପଷ୍ଟ କରିଥିଲେ। ସେହିପରି ଘସିପୁରା ବ୍ଲକ୍‌ର କେଶଦୁରାପାଳ ନିକଟରେ ବିମାନ ଖସି ପଡ଼ିଥିବା ନେଇ ପ୍ରଚାର ହୋଇଥିଲା। ଏହା ମଧ୍ୟ ଗୁଜବ ଥିଲା ବୋଲି ସ୍ପଷ୍ଟ ହୋଇଥିଲା। ଅପରପକ୍ଷରେ ଜଣେ ପୂର୍ବତନ ବାୟୁ‌ସେନା କର୍ମଚାରୀ କହିଛନ୍ତି ଯେ, କୌଣସି ବାୟୁସେନାର ଯୁଦ୍ଧ ବିମାନ ମେଘୁଆ ପାଗ ପାଇଁ କମ୍‌ ଉଚ୍ଚରେ ଅଭ୍ୟାସ କଲେ ବହୁଦୂର ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥାଏ । ପଶ୍ଚିମବଙ୍ଗର ଖଡ଼ଗପୁରରୁ ଓଡ଼ିଶାର ତାଳଚେର ପର୍ଯ୍ୟନ୍ତ ବାୟୁସେନା ବିମାନଗୁଡ଼ିକ ଅଭ୍ୟାସ ପାଇଁ ଆସିଥା’ନ୍ତି ବୋଲି ସେ କହିଛନ୍ତି ।