ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ବିସ୍ଫୋରଣ ।  ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଥିବା ସୂଚନା

112

କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନୀ ଆତଙ୍କବାଦୀମାନେ ଦଖଲ କରିବା ପରେ ସେଠାରେ ଆତଙ୍କବାଦୀ କାର୍ଯ୍ୟକଳାପ ଆରମ୍ଭ କରିଛନ୍ତି ତାଲିବାନୀମାନେ । ସଦ୍ୟ ସୂଚନା ମୁତାବକ ଆଫଗାନ ରାଜଧାନୀ କାବୁଲ ବିମାନବନ୍ଦର ବାହାରେ ତାଲିବାନୀମାନେ ବଡ ଧରଣର ବିସ୍ଫୋରଣ କରିଛନ୍ତି । ଏହି ବିସ୍ଫୋରଣରେ ମୃତାହତ ଓ ଆହତଙ୍କ ବାବଦରେ କିଛି ସୂଚନା ସ୍ପଷ୍ଟ ହୋଇ ନାହିଁ  । ହେଲେ ଜାତୀୟ ଗଣମାଧ୍ୟମରେ ଭାଇରାଲ ହେଉଥିବା କିଛି ଭିଡିଓରୁ ଅନୁମାନ କରାଯାଉଛି କି ଏହି ବିସ୍ଫୋରଣରେ କିଛି ଲୋକ ଆହତ ହୋଇଛନ୍ତି । ଏଭଳି ବିଷ୍ଫୋରଣ ବାବଦରେ ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସେପଟେ ବିମାନବନ୍ଦର ଗେଟ୍ ନିକଟରେ ବିସ୍ଫୋଣ ପରେ ପୁରା ଅଞ୍ଚଳରେ ଦଳା ଚକଟା ଆରମ୍ଭ ହୋଇଯାଇଛି । ଏହାସହ ବିସ୍ଫୋରଣର କିଛି ସମୟ ପୂର୍ବରୁ କାବୁଲ ବିମାନବନ୍ଦର ନିଟକରୁ ଇଟାଲିର ଏକ ସେନା ବିମାନ ଉଡାଣ ଭରିବା ପରେ ଆତଙ୍କବାଦୀମାନେ ବିମାନକୁ ଲକ୍ଷ୍ୟକରି ଗୁଳି ଚଳାଇଥିଲେ । ଇଟାଲିର ରକ୍ଷା ବିଭାଗର ସୂଚନା ମୁତାବକ ଇଟାଲି ସେନାର ଏହି ବିମାନରେ ୧୦୦ରୁ ଅଧିକ ଆଫଗାନ ନାଗରିକ ଥିଲେ । ହେଲେ ଆତଙ୍କବାଦୀଙ୍କ ଗୁଳିରେ କୌଣସି କ୍ଷତି ହୋଇନଥିବା ଇଟାଲି ରକ୍ଷା ବିଭାଗ ସୂଚନା ଦେଇଛି ।

ଅନ୍ୟପଟେ କିଛି ଏଭଳି ବିସ୍ଫୋରଣ ପୂର୍ବରୁ ଆମେରିକା ଦୂତାବାସ ତରଫରୁ କାବୁଲ ବିମାନବନ୍ଦରରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦିଆଯାଇଥିଲା । ଦୂତାବାସ ତରଫରୁ କୁହାଯାଇଥିଲା କି, ବିମାନବନ୍ଦର ଛାଡି ସମସ୍ତ ଲୋକ ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ । ଏହାସହ କାବୁଲ ଏୟାରପୋର୍ଟର ପୂର୍ବ ଓ ଉତ୍ତର ଗେଟରୁ ଆମେରିକା ନାଗରିକଙ୍କୁ ଖୁବଶୀଘ୍ର ଛାଡି ଚାଲିଯିବା ପାଇଁ ଆମେରିକା ଦୂତାବାସ ତରଫରୁ ବି ନିର୍ଦ୍ଦେଶ ଦିଆଯାଇଥିଲା । ଏହାସହ ଆହୁରି କୁହାଯାଇଥିଲା କି, ଆଗକୁ ନିର୍ଦ୍ଦେଶ ନମିଳିବା ଯାଏଁ ସୁରକ୍ଷିତ ସ୍ଥାନରେ ନାଗରିକମାନେ ରୁହନ୍ତୁ ।