କନକ ବ୍ୟୁରୋ :  ଆନ୍ଧ୍ରପ୍ରଦେଶର ଏକ ଔଷଧ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ୪ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ  ୨୦ ଜଣ ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି । ଅପରାହ୍ନରେ ଲଞ୍ଚ ସମୟରେ ଏହି ବିସ୍ଫୋରଣ ଘଟିଛି । ଏହି ଘଟଣା ପରେ ଜୀବନ ବିକଳରେ କମ୍ପାନୀ କର୍ମଚାରୀ  ଦୌଡ଼ିବା ଆରମ୍ଭ କରିଥିଲେ ।

Advertisment

କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହାକୁ ନେଇ କୌଣସି ସୂଚନା ମିଳି ପାରନାହିଁ । ତେବେ ଏହି ଘଟଣା ପରେ ଏକ ଧୂଷର ରଙ୍ଗର ଧୂଆଁ ନିର୍ଗତ ହେଉଥିବା ଦେଖା ଦେଇଥିଲା । ଏଥିରୁ ବର୍ତ୍ତିବାକୁ କର୍ମଚାରୀମାନେ ନାକ ବନ୍ଦ କରି ବାହାରକୁ ବାହାରୁ ଥିବା ଦେଖା ଯାଇଥିଲା । ଆନ୍ଧ୍ର ପ୍ରଦେଶର ଅନାକାପାଲି ଥାନା ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି । ଅନାକାପାଲି ଏସପି ଦୀପିକା ପାଟିଲ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ରିଆକ୍ଟରର ସାଇଟରେ ଏହି ଘଟଣା ଘଟିଛି । ଏବେ ରେସ୍କ୍ୟୁ ଅପରେସନ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବା ସେ ସୂଚନା ଦେଇଛନ୍ତି ।

କମ୍ପାନୀ ମଧ୍ୟରୁ ନିର୍ଗତ ହେଉଥିବୂା ଧୂଷର ରଙ୍ଗର ଧୂଆଁ କେଉଁଠାରୁ ଆସୁଛି ଓ ଏହା ବିଷାକ୍ତ କି ନୁହେଁ ତାହାକୁ ନେଇ ଏଯାଏଁ ସୂଚନା ମିଳି ପାରିନାହିଁ । ଉଦ୍ଧାର କରାଯାଉଥିବା ଲୋକଙ୍କୁ ଅନାକାପାଲି ଏନଟିଆର ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ଅଗ୍ନିଶମ କର୍ମଚାରୀ ଓ ଆମ୍ବୁଲାନ୍ସ ଔଷଧ କମ୍ପାନୀ ପରିସରରେ ପହଞ୍ଚିଥିଲେ । ୨୦ ଜଣ ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ସେମାନଙ୍କୁ ଆବଶ୍ୟକ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ।