ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନାଁରେ ଅସାଧୁ କର୍ମଚାରୀଙ୍କ ଶୋଷଣ । ରୁଗଣ୍ ଗାଈ ଦେଇ ଠକିଥିବା ଅଭିଯୋଗ 

115

କନକ ବ୍ୟୁରୋ: ମିଶନ ଶକ୍ତି ଏବଂ ଜୀବିକା ମିଶନ୍ ମାଧ୍ୟମରେ ସରକାର ମହିଳାମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଗୁରୁତ୍ୱ ଦେଇ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ମାନଙ୍କ ପାଇଁ ମହିଳା ମାନେ ସଶକ୍ତ ହେବା ବଦଳରେ ଶୋଷଣର ଶିକାର ହେଉଛନ୍ତି, ଯାହାପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଆଗରେ ମହିଳାମାନେ ଧାରଣା ଦେଇଛନ୍ତି ।

ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବାକୁ ଦିଆଯାଇଥିଲା ସହାୟତା । ହେଲେ କ୍ଷତିରେ ପଡିଥିବା ନେଇ ଅଭିଯୋଗ କରିଛନ୍ତି ମହିଳା ମାନେ । ଜଳେଶ୍ୱର ଚମାରଗାଁ ପଂଚାୟତର ୩୦ ଜଣ ମହିଳାଙ୍କୁ ସ୍ୱାବଲମ୍ବୀ ଉଦ୍ଦେଶ୍ୟ ନେଇ ଦୁଗ୍ଧ ପ୍ରଦାନକାରୀ ଗାଈ ଯୋଗାଇ ଦିଆଯାଇଥିଲା । ମିଶନ ଶକ୍ତି ଅଧିନରେ ଥିବା ଜିପିଏଲଏଫ ତରଫରୁ ଆର୍ଥିକ ସହାୟତା ଦିଆଯାଇଥିଲା । ଦୁଗ୍ଧ ବିକ୍ରିି କରି ରୋଜଗାରକ୍ଷମ ହେବା ସହିତ ଦୁଇ ପଇସା ଲାଭ ପାଇବେ ମହିଳା ମାନେ । ମାତ୍ର ମିଶନ ଶକ୍ତିରୁ ପାଇଥିବା ଗାଈକୁ ପାଳନ କରି ଲାଭ ପାଇବା ବଦଳରେ କ୍ଷତି ସହୁଥିଲେ । ଦିଆଯାଇଥିବା ଗାଈର ମୁଲ୍ୟ ୩୦ ହଜାର ଟଙ୍କା ହୋଇଥିବା ବେଳେ ପ୍ରତିିଦିନ ୧୦ ରୁ ୧୨ ଲିଟର କ୍ଷୀର ମିଳିବ ବୋଲି କୁହାଯାଇଥିଲା । ହେଲେ ଗାଈ ଗୁଡିକ ଦୁର୍ବଳ ଥିବା ଜଣାପଡିଥିଲା ।  ଘଟଣା ନେଇ ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ଗାଈ ଫେରାଇ ନେଇ ଅଗଷ୍ଟରେ ନୂତନ ଗାଇ ଦେବାକୁ ଦେଇଥିଲେ ପ୍ରତିଶ୍ରୁତି । ହେଲେ ୬ ମାସ ପରେ ବି  ଗାଈ ମିଳିନଥିବା ଅଭିଯୋଗ ହୋଇଛି ।

ହିତାଧିକାରୀ ମାନେ ସେମାନଙ୍କ ଗାଈ ଫେରସ୍ତ ପାଇଁ ବାରମ୍ବାର ବିଡିଓ  ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ଜଳେଶ୍ୱର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ  ଲୋକଙ୍କ ଅଭିଯୋଗ ଶୁଣାଣି ସମୟରେ ଶତାଧିକ ମହିଳା ସେମାନଙ୍କ ଗାଇ ନେବା ପାଇଁ ଧାରଣାରେ ବସିଥିଲେ । ସପ୍ତାହେ ଭିତରେ ସେମାନଙ୍କ ମନ ପସନ୍ଦର ଗାଈ ଦିଆଯିବାର ମିଳିଛି ପ୍ରତିଶ୍ରୁତି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ହିତାଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏବେ ଗାଈ ମିଳିବାର ଅପେକ୍ଷାରେ ରହିଛନ୍ତି ।