ମନରେଗା କାମରେ ଦୁର୍ନୀତି । ଦିବ୍ୟାଙ୍ଗ ଯୁବକଙ୍କ ନାଁରେ ଜବକାର୍ଡ କରି ହଡପ ହୋଇଛି ୨୬ ହଜାର ଟଙ୍କା । 

66

କନକ ବ୍ୟୁରୋ : ସମ୍ବଲପୁରରେ ଏନଆରଜିଏ କାମର ବଡ ଦୁର୍ନିତୀ । ଏନଆରଜିଏ ପଇସାରେ ଜଙ୍ଗଲ ବିଭାଗରେ ହେଉଥିବା ଚାରା ରୋପଣରେ ଦିବ୍ୟାଙ୍ଗଙ୍କ ନାଁରେ ଜବକାର୍ଡ କରି ଚଳୁ କରି ନେଲେ ଟଙ୍କା । ତାହା ପୁଣି ପରିବାର ଲୋକ ଅଜାଣତରେ । ଦିବ୍ୟାଙ୍ଗଙ୍କ ଆଧାରକାର୍ଡ ଓ ସମ୍ବନ୍ଧୀୟ କାଗଜପତ୍ର ନେଇ ଜବ କାର୍ଡ କରି ବନ କର୍ମଚାରୀ ଟଙ୍କା ଖାଇଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲା ବଦୁଆପାଲି ଗାଁର ଦିବ୍ୟାଙ୍ଗ ଯୁବକ ସିକୁ ବିଶ୍ୱାଲ । ୫୦ ପ୍ରତିଶତ ଦିବ୍ୟାଙ୍ଗ ବୋଲି ସ୍ୱାସ୍ଥ୍ୟ ବିଭାଗ ପ୍ରମାଣପତ୍ର ଦେଇଛି । କିନ୍ତୁ ତାଙ୍କ ନାଁରେ ଜବ୍ କାର୍ଡ କରି ଟଙ୍କା ଉଠାଇ ନେଇଛନ୍ତି ବନ କର୍ମଚାରୀ । ସିକୁଙ୍କ ଅଜାଣତରେ ତାଙ୍କ ନାଁରେ ୨୬ ହଜାର ଟଙ୍କା ଉଠିଥିବା ଜବକାର୍ଡରେ ଉଲ୍ଲେଖ ରହିଛି । ସିକୁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୬ ଦିନ କାମ କରିଛନ୍ତି, ଏଥିପାଇଁ ୧୯ ହଜାର ୮୭୨ ଟଙ୍କା ଉଠିଛି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ୨୯ ଦିନ କାମ ବାବଦରେ ୬ ହାଜର ୨୩୫ ଟଙ୍କା ଉଠିଛି । ସିକୁଙ୍କ ବାପା-ମାଆ ଘରେ ନଥିବା ବେଳେ ତାଙ୍କ ଠାରୁ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ନେଇ କିଛି ବନ କର୍ମଚାରୀ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି ।

ମନରେଗା ଯୋଜନାରେ ଜଙ୍ଗଲ ବିଭାଗରେ ହେଉଥିବା ଚାରା ରୋପଣ କାମରେ ଦୁର୍ନୀତି କରି ଅର୍ଥ ହଡପ ହୋଇଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର । ଦିବ୍ୟାଙ୍ଗ ସିକୁ କେବେ ବି କାମ କରିବାକୁ ଯାଇନଥିବା ସେ କହିଛନ୍ତି । ସିକୁଙ୍କ ନାଁରେ ମନରେଗା ଟଙ୍କା ହରିଲୁଟ୍ ଖବର ସାମ୍ନାକୁ ଆସିଥିବା ବେଳେ ଏହାର ତଦନ୍ତ ହେଲେ ଏମିତି ଅନେକ ଦୁର୍ନୀତିର ମୁଖା ଖୋଲିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।