କନକ ବ୍ୟୁରୋ: ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି । ହେଲେ ଭକ୍ତଙ୍କ ଏହି ଗହଳି ଭିତରେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ବୟସ୍କ ଓ କୁନି କୁନି ଶ୍ରଦ୍ଧାଳୁ । ଜଗା ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଛିଡା ହେବା ବୃଦ୍ଧବୃଦ୍ଧାଙ୍କୁ ବେଶ ବାଧୁଛି ।

Advertisment
  • ଭିଡରେ ମାତିଛନ୍ତି ଅସାଧୁ ବ୍ୟବସାୟୀ
  • ଜୋତା, ମୋବାଇଲ ଷ୍ଟାଣ୍ଡ୍ ନାଁରେ ଶୋଷଣ

ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ଭକ୍ତଙ୍କ ଜୋତା ମୋବାଇଲ ରଖିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନାହିଁ । ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ । ବଡଦାଣ୍ଡରୁ ମରିଚିକୋଟ ଛକା ଯାଏଁ ମାଳ ମାଳ ଜୋତା ଷ୍ଟାଣ୍ଡ ଖୋଲିଛି । ସେଥିରେ ଜୋତା ରଖିଲେ ଦୁଇଗୁଣା ଦର ଓ ମୋବାଇଲ ପିଛା ୨୫ ଟଙ୍କା ଦାବି କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ପରେ ଦର୍ଶନ ବ୍ୟବସ୍ଥାରେ କିଛିଟା ସୁଧାର ଆସିଛି । ଭକ୍ତଙ୍କ ଲାଗି ସ୍ୱତନ୍ତ୍ର ବାୟୋ ଟଏଲେଟ, ବ୍ୟାରିକେଡରେ ବିଶୁଦ୍ଧ ପାନୀୟ ଜଳ ସୁବିଧା, ପାଦ ନ ତାତିବା ପାଇଁ ସ୍ୱତନ୍ତ୍ର କାର୍ପେଟ, ବରିଷ୍ଠ ନାଗରିକଙ୍କ ପାଇଁ ହେଲପ ଡେସ୍କ ଓ ବସିବା ବ୍ୟବସ୍ଥା କରାଯାଇଛି । ଖୋଦ ଏସପି ବ୍ୟାରିକେଡ ବୁଲି ଭକ୍ତଙ୍କ ସୁବିଧା ଅସୁବିଧା ପଚାରି ଫିଡବ୍ୟାକ ନେବା ସହ ବରିଷ୍ଠ ନାଗରିକଙ୍କୁ ବ୍ୟାରିକେଡରୁ ବାହାର କରି ଆଗୁଆ ଦର୍ଶନ କରାଇଛନ୍ତି ।

ତେବେ ପଞ୍ଚୁକର ଦ୍ୱିତୀୟ ଦିନରେ ଶ୍ରୀଜିଉ ବାଙ୍କଚୂଡ ବା ବାମନ ବେଶରେ ଦର୍ଶନ ଦେଇଛନ୍ତି । ଶନିବାର ତ୍ରିବିକ୍ରମ ବେଶ ବା ଲକ୍ଷ୍ମୀନୃସିଂହ ବେଶରେ କଳାଠାକୁର ଦର୍ଶନ ଦେବାକୁ ଥିବାରୁ ଭିଡ ଆହୁରି ବଢିବା ସମ୍ଭାବନା ରହିଛି । ଭିଡକୁ ନିୟନ୍ତ୍ରଣ କରି ଶୃଙ୍ଖଳିତ ଦର୍ଶନ ଏବେ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇପଡିଛି ।