କନକ ବ୍ୟୁରୋ : ଗୋଟିଏ ପଟେ ୟୁକ୍ରେନ ଉପରେ ଘନ ଘନ ଗୋଳା ମାଡ କରି ଚାଲିଛି ଋଷ । ବିବାଦର ସମାଧାନ ପାଇଁ ଯୁଦ୍ଧ ନୁହେଁ ଆଲୋଚନା ହେବା ଦରକାର ବୋଲି ବିଭିନ୍ନ ବିଶ୍ୱ ନେତା ଅପିଲ କରିଛନ୍ତି । ଏହାରି ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି, ଆମ ପାଖରେ କୌଣସି ବିକଳ୍ପ ନଥିଲା । ଆମର ଅସ୍ଥିତ୍ୱ ବିପଦରେ ଥିଲା । ତେଣୁ ଆମେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଲୁ ବୋଲି ସେ କହିଛନ୍ତି । କିନ୍ତୁ ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଂଚାଇବାକୁ ଋଷ ଚାହେଁ ନାହିଁ ବୋଲି ପ୍ରତିକ୍ରିୟାରେ କହିଛନ୍ତି ।

Advertisment

ମିଜାଇଲ ଓ ବୋମା ମାଡରେ ୟୁକ୍ରେନର ୧୩ଟି ପ୍ରମୁଖ ସହର ଦୋହଲି ଉଠିଛି । ସାରା ବିଶ୍ୱର ନେତା ଏଭଳି ଏକପାଖିଆ ଆକ୍ରମଣକୁ ନିନ୍ଦା କରିଥିଲେ ବି ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ରୁଷିଆର ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି, ସେନେଇ ସଠିକ୍ ଖବର ଆସିନଥିଲେ ବି ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିଛି । ଆମେରିକା କହିଛି, ଏହାପରେ ଯାହା ଘଟିବ ସେଥିପାଇଁ ଋଷିଆ ଦାୟୀ ରହିବ ।

ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ଓ ଅନ୍ୟ ପ୍ରମୁଖ ନାଟୋ ଦେଶମାନେ ଏଭଳି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ଏଥିସହ ମିଳିତ ଭାବେ ଏହାର ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । କିନ୍ତୁ ଏସବୁ କୌଣସି କଥାକୁ ଖାତିର କରିନାହାନ୍ତି ପୁଟିନ୍ । ସେପଟେ ଚୀନ କିନ୍ତୁ ଋଷିଆର ସମର୍ଥନରେ ବାହାରିଛି । ଅନ୍ୟପଟେ ୟୁକ୍ରେନ ଆତ୍ମସମର୍ପଣ ନକରି ଲଢେଇ କରିବାକୁ ଅଂଟା ଭିଡିଛି, ଏବଂ ବିଶ୍ୱସମୁଦାୟ ଠାରୁ ସହାୟତା ବି ଲୋଡିଛି ।