ଜନ୍ମହାର କମିବା ପରେ ବଢ଼ିଲା ବେଜିଂର ଚିନ୍ତା : ୨ଟି ସନ୍ତାନ ନିୟମରେ ପରିବର୍ତ୍ତନ

317

କନକ ବ୍ୟୁରୋ : ଚୀନରେ ବୟସ୍କଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ଜନ୍ମ ହାର ହ୍ରାସ ପାଉଥିବାରୁ ଏକ ବଡ ନିଷ୍ପତି କରିଛି ବେଜିଂ । ପରିବାର ନିୟୋଜନ ନିୟମକୁ କୋହଳ କରାଯାଇଛି । ଚୀନ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଚୀନରେ ଦମ୍ପତିମାନେ ସର୍ବାଧିକ ୩ଟି ସନ୍ତାନ ଜନ୍ମ କରିପାରିବେ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଗତ ସୋମବାର ଏହି ନୂଆ ନିୟମକୁ ମଞ୍ଜୁରୀ ଦେଇଛନ୍ତି ।

ପୂର୍ବରୁ କେବଳ ୨ଟି ସନ୍ତାନ ଜନ୍ମ ଦେବା ନିୟମ ରହିଥିଲା । ଭାରତ ଭଳି ଚୀନରେ ମଧ୍ୟ ପ୍ରତି ୧୦ ବର୍ଷରେ ଜନଗଣନା ହୋଇଥାଏ । ୨୦୨୦ ଜନଗଣନା ପରେ ଜଣାପଡିଛି ଯେ, ୧୯୫୦ ପରେ ଗତ ୧୦ ବର୍ଷରେ ଜନସଂଖ୍ୟା ଖୁବ ମନ୍ଥର ଗତିରେ ବଢିଛି । ଜାପାନ ଭଳି ଚୀନ ମଧ୍ୟ ବୟସ୍କଙ୍କ ଦେଶ ପାଲଟି ଯାଉଛି । ଜନ୍ମହାର କମୁଥିବାରୁ ଚୀନରେ ବୟସ୍କଙ୍କ ସଂଖ୍ୟା ବଢୁଥିବା ଜଣାପଡିଛି ।

ଦେଶରେ ମହିଳାଙ୍କ ପ୍ରଜନନ କ୍ଷମତା ମଧ୍ୟ ୧.୩ ପ୍ରତିଶକୁ ଖସିଆସିଛି । ଯାହା ଇଟାଲି ଓ ଜାପାନ ସହିତ ସମାନ । ଜାତିସଂଘର ଆକଳନ ଅନୁସାରେ ୨୦୩୦ ସୁଦ୍ଧା ଚୀନର ଜନସଂଖ୍ୟା ଶୀର୍ଷରେ ପହଂଚି ପୁଣି ତଳକୁ ଖସିବ । ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅର୍ଥନୀତି ପାଇଁ ଜନ୍ମ ହାର ହ୍ରାସ ପାଇବା ଓ ବୟସ୍କଙ୍କ ସଂଖ୍ୟା ବଢିବା ବଡ ଚିନ୍ତାର କାରଣ ପାଲଟିଛି ।