ଆଜିଠୁ ଦେଶରେ ବଦଳିଲା ଅପରାଧିକ ଆଇନ । ବ୍ରିଟିଶ ଆଇନ ସ୍ଥାନରେ ୩ ଆଇନ ସଂହିତା ଲାଗୁକୁ ବିରୋଧ କଲେ ବିଭିନ୍ନ ଦଳ ।

216

କନକ ବ୍ୟୁରୋ: ଜୁଲାଇ ୧ରୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲି ଆସୁଥିବା ବ୍ରିଟିଶ ନିୟମ । ଦେଢଶହ ବର୍ଷ ଧରି ଦେଶରେ କାମ କରୁଥିବା ବ୍ରିଟିଶ ଅମଳର ଏହି ପୁଲିସ ଆଇନ ଆଜିଠୁ ଇତିହାସ ପାଲଟିଛି ।

ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ କାର୍ଯ୍ୟ କରିବ ଦେଶର ନ୍ୟାୟ ବ୍ୟବସ୍ଥା । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ, ମଧ୍ୟରାତ୍ରୀରୁ ଦେଶରେ ଏହି ୩ଟି ଆଇନ ଲାଗୁ କରାଯାଇଛି । ବ୍ରିଟିଶ ଅମଳର ୩ଟି ଆଇନ ଭାରତୀୟ ପେନାଲ କୋଡ, କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଜିଓର ଏବଂ ଭାରତୀୟ ପ୍ରମାଣ ଆଇନର ସ୍ଥାନ ନେଇଛି ନୂଆ ଆଇନ । ନୂଆ ବ୍ୟବସ୍ଥା ଅନୁସାରେ…

– ଶୁଣାଣି ଶେଷ ହେବାର ୪୫ ଦିନ ଭିତରେ ରାୟ ପ୍ରକାଶ ପାଇବ
– ପ୍ରଥମ ଶୁଣାଣିର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ ହେବ
– ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ଅଭିଭାବକଙ୍କ ଉପସ୍ଥିତିରେ ମହିଳା ପୋଲିସ ନେବେ
– ୭ ଦିନ ଭିତରେ ମେଡିକାଲ ରିପୋର୍ଟ ପ୍ରଦାନ କରାଯିବ
– ସାଙ୍ଗଠନିକ ଅପରାଧ ଓ ଆତଙ୍କବାଦର ସଂଜ୍ଞା ପରିବର୍ତ୍ତନ
– ରାଜଦ୍ରୋହ ଶବ୍ଦକୁ ହଟାଯାଇ ଦେଶଦ୍ରୋହକୁ ସାମିଲ କରାଯାଇଛି
– ସମସ୍ତ ତଲାସୀ ଓ ଜବତ କ୍ଷେତ୍ରରେ ଭିଡ଼ିଓଗ୍ରାଫି ବାଧ୍ୟତାମୂଳକ
– ଗିରଫ ହେବା ପରେ ଜଣେ ବ୍ୟକ୍ତି ପରିବାର ଓ ସମ୍ପର୍କୀୟଙ୍କୁ ସ୍ଥିତି ସଂମ୍ପର୍କରେ ଜଣାଇପାରିବେ
– ନିଜର ସ୍ଥିତି ସମ୍ପର୍କରେ ଜଣାଇବାକୁ ଦିଆଯାଇଛି ଅଧିକାର
– ଗିରଫ ସର୍ମ୍ପିତ ସମସ୍ତ ତଥ୍ୟ ଥାନା କିମ୍ବା ପୋଲିସ ମୁଖ୍ୟାଳୟରେ ରଖାଯିବ
– ବ୍ୟକ୍ତିଗତ ଭାବେ ହାଜର ନହୋଇ ଇଲେକ୍ଟ୍ରୋନିକ ମାଧ୍ୟମରେ ଏଫ୍ଆଇଆର କରିହେବ

ଇଣ୍ଡିଆନ ପେନାଲ କୋଡ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା, କ୍ରିମିନାଲ ପ୍ରୋସିଜିଓର କୋଡ ବଦଳରେ ଭାରତୀୟ ନାଗରିକ ସଂହିତା ଓ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ସ୍ଥାନରେ ଆସିଛି ଭାରତୀୟ ସାକ୍ଷ୍ୟ ଅଧିନିୟମ । ନୂଆ ଆଇନରେ ଏକ ଆଧୁନିକ ନ୍ୟାୟ ବ୍ୟବସ୍ଥା ଅଣାଯାଇଛି । ଜିରୋ ଏଫଆଇଆର, ପୁଲିସ ଅଭିଯୋଗର ଅନଲାଇନ ପଂଜୀକରଣ ବ୍ୟବସ୍ଥା ରହିଛି । ୨୦୨୩ ଜାନୁଆରୀରେ କେନ୍ଦ୍ର ସରକାର ତିନୋଟି ଅପରାଧିକ ଆଇନ ପ୍ରଣୟନ କରିଥିଲେ ।