ସରକାରୀ ବାବୁଙ୍କୁ ତଳେ ବସାଇଲେ ଚାଷୀ ! ଏକ୍ସପାଏରୀ ଔଷଧ ନେଇ କୃଷି ଉପ ନିର୍ଦ୍ଦେଶକଙ୍କୁ ଚାଷୀ ମାଗିଲେ ଜବାବ

28

କନକ ବ୍ୟୁରୋ : ରାସ୍ତା ଉପରେ ବସିଛନ୍ତି ଉପ କୃଷି ନିର୍ଦ୍ଦେଶକ ଆଉ ଫସଲ କ୍ଷୟର ଜବାବ ମାଗୁଛି ଚାଷୀ । ସରକାରୀ ବାବୁଙ୍କୁ ଏସି ଚାମ୍ବରରୁ ଆଣି ତଳେ ବସାଇ ଚାଲିଛି ଆଲୋଚନା । ଉଜୁଡା ଫସଲକୁ ଦେଖାଇ ଚାଷୀ ପଚାରୁଛି କାରଣ । କାହିଁକି କାମ କରୁନି ଔଷଧ? କଣ କରୁଛି କୃଷି ବିଭାଗ ? ସମ୍ବଲପୁରରେ ଏଭଳି ଚିତ୍ର ଦେଖିବାକୁ ମିଳିଛି ।

ଧାନ ଚକଡାରେ ପୋକ ଲାଗି ଚାଷ ନଷ୍ଟ ହେଉଥିବା ବେଳେ କାମ କରୁନି ସରକାରୀ ଔଷଧ । ସରକାର ନକଲି ଔଷଧ ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ସମ୍ବଲପୁରରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି ।କୀଟନାଶକ ଔଷଧ ନାଁରେ କଳାବଜାରି । ସାମ୍ନାକୁ ଆସିଲା କୃଷି ବିଭାଗର କାରସାଦି । ପ୍ୟାକେଟ ଭିତରେ ଗୋଟିଏ ତାରିଖ ଓ ପ୍ୟାକେଟ ବାହାରେ ଆଉ ଗୋଟିଏ ତାରିଖ । କେଉଁ ତାରିଖ ଉପରେ ଭରସା କରିବେ ତାହା ବୁଝି ପାରୁ ନାହାନ୍ତି ଚାଷୀ । ପ୍ୟାକେଟ ବାହାରେ ଏକ୍ସପାଏରୀ ତାରିଖ ଅଛି ଜୁଲାଇ ୨୦୧୯ । ହେଲେ ଭିତରେ ରହିଛି ସେପ୍ଟେମ୍ବର ୨୦୧୭ । ଅର୍ଥାତ୍ ୨ ବର୍ଷ ତଳୁ ଚାଲିଗଲାଣି ଔଷଧର ଅବଧି । ଏଭଳି ସ୍ଥିତିରେ ଫସଲରୁ ପୋକ ଯିବେ କେମିତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି କୃଷି ବିଭାଗ ଖୋଦ୍ ଏହି ଓøଷଧକୁ ସୀକୃତୀ ଦେଇଛି ।

ଏସବୁ ଭିତରେ ଉଜୁଡି ଯାଇଛି ହେକ୍ଟର ହେକ୍ଟର ଫସଲ । ଚାଷଜମିରେ ମାଡିଯାଇଛି ଲେଡା ପୋକ । ପ୍ରାୟ ୫୦ ପ୍ରତିଶତ ଫସଲ ଖାଇଗଲେଣି । ପୋକ ଦାଉରୁ ରକ୍ଷା କରିବାକୁ ପାଂଚ ପାଂଚ ଥର ଔଷଧ ପକାଯାଇଛି, ହେଲେ ଫସଲରୁ ଯାଉନି ପୋକ । ହାତ ଉଧାରି ଋଣ କରି ଚାଷୀ କରିଥିବା ଫସଲ ଏବେ ତା ସାମ୍ନାରେ ନଷ୍ଟ ହେବାକୁ ବସିଛି । ଆଉ ଜଳ ଜଳ ହୋଇ ଦିଶୁଛି କୃଷି ବିଭାଗର କାରସାଦି । ଘଟଣାର କ୍ରାଇମବ୍ରାଂଚ ଦାବି ହୋଇଛି ।