କରୋନା ପାଇଁ ସେପ୍ଟେମ୍ବର ମାସ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ବିଶେଷଜ୍ଞ । ସେପ୍ଟେମ୍ବର ଶେଷ ସୁଦ୍ଧା ୨ଲକ୍ଷ ଟପିଯାଇପାରେ ଆକ୍ରାନ୍ତଙ୍କ ସଂଖ୍ୟା : ଡାକ୍ତର ନିରୋଜ ମିଶ୍ର କହିଲେ ଭୁବନେଶ୍ୱରରେ ଶୀର୍ଷରେ ଅଛି ସଂକ୍ରମଣ

359

କନକ ବ୍ୟୁରୋ : ଏ ହେଉଛି, ଓଡ଼ିଶାର କୋଭିଡ୍ ମ୍ୟାପ୍ । ଦେବଗଡ଼କୁ ଛାଡିଦେଲେ ବାକି ଜିଲ୍ଲାଗୁଡିକୁ ନାଲି ରଙ୍ଗରେ ଚିହ୍ନିତ କରାଯାଇଛି । ଲାଲ ରଙ୍ଗର ଅର୍ଥ ହେଉଛି ଏହି ଜିଲ୍ଲାଗୁଡିକରେ ୨୦୦ରୁ ଅଧିକ ସକ୍ରିୟ ରୋଗୀ ରହିଛନ୍ତି । ସର୍ବାଧିକ ସକ୍ରିୟ ସଂକମଣ ରହିଛି ଖୋର୍ଦ୍ଧା ଜିଲ୍ଲାରେ । ଗତ କିଛି ଦିନ ହେଲା ୪ ହଜାର ପାଖାପାଖି ନୂଆ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ନଜର ପକାନ୍ତୁ ରାଜ୍ୟରେ ଗତ ୪ ଦିନର କୋଭିଡ୍ ସ୍ଥିତି ଉପରେ ।
ସେପ୍ଟେମ୍ବର ୧୦ – ୩,୯୯୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ
ସେପ୍ଟେମ୍ବର ୧୧ – ୩,୯୯୬
ସେପ୍ଟେମ୍ବର ୧୨ – ୩,୭୭୭
ସେପ୍ଟେମ୍ବର ୧୩ – ୩,୯୧୩ ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।
୪ ଦିନରେ ଚିହ୍ନଟ ହୋଇଛନ୍ତି ୧୫,୬୭୭ ନୂଆ ଆକ୍ରାନ୍ତ ।
ରାଜ୍ୟରେ କିପରି ବଢୁଛି କରୋନା? ତାକୁ ଜାଣିବା ପାଇଁ ଏହି ତଥ୍ୟ ଉପରେ ନଜର ପକାନ୍ତୁ –
ମାର୍ଚ୍ଚ ୧୫ରେ ପ୍ରଥମ ଆକ୍ରାନ୍ତ
ଅଗଷ୍ଟ ୧୨ରେ ୫୦,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଲାଗିଥିଲା ୧୫୦ ଦିନ
ଅଗଷ୍ଟ ୩୦ରେ ୧ ଲକ୍ଷ ଉପରକୁ ଉଠିଲା ସଂକ୍ରମିତଙ୍କ ସଂଖ୍ୟା, ଲାଗିଲା ୧୮ ଦିନ
ସେପ୍ଟେମ୍ବର ୧୩ରେ ଦେଢ଼ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଲାଗିଲା ମାତ୍ର ୧୪ ଦିନ
ସେପ୍ଟେ୍ମ୍ବର ସ୍ଥିତି ସବୁଠୁ ସଂଗୀନ
ମାସ ଶେଷ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ଟପିପାରେ ୨ ଲକ୍ଷ

ଏପଟେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୨୫ ହଜାର ଟପିଯାଇଛି । ରାଜ୍ୟର ସବୁଦାୟ ସଂକ୍ରମଣର ୧୭.୩ ପ୍ରତିଶତ କେବଳ ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଆଉ ଖୋର୍ଦ୍ଧା ଜିଲ୍ଲାରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, କେବଳ ଭୁବନେଶ୍ୱରରେ ଏହାର ୬୨.୪ ପ୍ରତିଶତ । ଏବେ ଭୁବନେଶ୍ୱରରେ ସଂକ୍ରମଣ ଶୀର୍ଷରେ ପହଁଚିଛି ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

ରାଜ୍ୟରେ ମୋଟ ୬୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁହାର ରହିଛି .୪୧ ପ୍ରତିଶତ । ଏପର୍ଯ୍ୟନ୍ତ ୨୪,୨୩,୧୨୪ କୋଭିଡ୍ ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ ରହିଛି ୬.୨୨ ପ୍ରତିଶତ ।