କେମିତି ରୋକାଯିବ କରୋନାର ତୃତୀୟ ଲହର? ବିଶେଷଜ୍ଞଙ୍କ ପରାମର୍ଶ, ପୂର୍ବ ତ୍ରୁଟିରୁ ଶିଖନ୍ତୁ ଓ ପ୍ରକୃତ ତଥ୍ୟ ଦିଅନ୍ତୁ ।

151

କନକ ବ୍ୟୁରୋ:   ଜୁନ୍‌ ୧୧ ତାରିଖ ସୁଦ୍ଧା ସାରା ବିଶ୍ୱରେ ମହାମାରୀ କୋଭିଡରେ ୩୭,୯୦,୪୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତରେ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୬୭,୨୮୫ ରହିଛି। ଅପରପକ୍ଷେ, ଦେଶ ଗତବର୍ଷ ସେପ୍ଟେମ୍ବର ମଧ୍ୟଭାଗରେ ଓ ଚଳିତବର୍ଷ ମେ’ ପ୍ରାରମ୍ଭରେ କୋଭିଡ୍‌ ସଂକ୍ରମଣର ଦୁଇଟି ଶୀର୍ଷ ଦେଖିସାରିଛି। ସଂକ୍ରମଣର ପ୍ରଥମ ଲହର ବେଳେ ଦୈନିକ ମାମଲା ସର୍ବାଧିକ ୯୭,୦୦୦ ଛୁଇଁଥିଲା ବେଳେ ଦେଶବାସୀ ତାହାର ସଫଳ ମୁକାବିଲା କରିପାରିଥିଲେ। ଅବଶ୍ୟ ସେଥି ପାଇଁ ବିପଦ ସମ୍ପୂର୍ଣ୍ଣ ଟଳିଗଲା ବୋଲି ଏକ ଭ୍ରାନ୍ତ ଧାରଣା ମନକୁ ଆସିଥିଲା ଏବଂ ଲୋକେ ଖାମଖିଆଲ ହୋଇଗଲେ। ଫଳରେ ଦ୍ବିତୀୟ ଲହର ତାହାର ସାଂଘାତିକ ଉପସ୍ଥିତି ଜାହିର କରି ଏପରିକି ଦୈନିକ ସର୍ବାଧିକ ୪.୧୪ ଲକ୍ଷ ସଂକ୍ରମଣ ମାମଲା ଘଟାଇବା ସହ ସେଥିରେ ଅତିଶୟ ଗୁରୁତରଙ୍କ ଭାଗ ୨୦ ପ୍ରତିଶତ ପରି ଉଚ୍ଚ ରହିଥିଲା। ଏବେ ୯୦ ହଜାର ପାଖାପାଖି ସଂକ୍ରମଣ ଖସି ଆସିଥିବାରୁ ବିଭିନ୍ନ ଚେତାବନୀକୁ ଆମେ ଅଣଦେଖା କରି ଚାଲିଛନ୍ତି। ମାତ୍ର ଅତୀତର ତ୍ରୁଟିରୁ ଶିଖିଥିବା ସତର୍କତାକୁ ଆମକୁ ଏବେ ପ୍ରତିଫଳିତ କରିବାକୁ ହେବ ବୋଲି ବିଶେଷଜ୍ଞମାନେ ପୁଣି ସତର୍କ କରାଇ ଦେଇଛନ୍ତି।

ସଂକ୍ରମଣର ତୃତୀୟ ଲହର ଅବଶ୍ୟମ୍ଭାବୀ ବୋଲି ଅନେକ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି। ମହାମାରୀର ସ୍ଥିତିକୁ ଆକଳନ କରିବା ପାଇଁ ଆମକୁ ବିଭିନ୍ନ ଆନୁମାନିକ ମଡେଲର ପରିକଳ୍ପନା କରିବାକୁ ହେବ। ସେଥିପାଇଁ ରୋଗପ୍ରତିରୋଧକତା ହାସଲ କରିଥିବା ଜନସଂଖ୍ୟା ହିସାବ କରିବାକୁ ହେବ। ଅବଶ୍ୟ ଭାରତରେ ଆବଶ୍ୟକ ସୂଚନା ତୁରନ୍ତ ମିଳିବାରେ ଅସୁବିଧା କାରଣରୁ କୌଣସି ମହାମାରୀର ପୂର୍ବାନୁମାନ କରିବା କଷ୍ଟକର। ତେଣୁ କୌଣସି ପ୍ରକାର ସେରୋସର୍ବେକ୍ଷଣର ତଥ୍ୟ ଯଥାଶ୍ରୀଘ୍ର ଉପଲବ୍‌ଧ କରାଇବା ସହ ପରବର୍ତ୍ତୀ ଅଘଟଣର ରୂପକଳ୍ପ ଆକଳନ କରାଯାଇପାରିବ।

ବେଳେ ବେଳେ ଆମର ଏଠି ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂକ୍ରାନ୍ତ ସରକାରୀ ତଥ୍ୟ ଏବଂ ପ୍ରକୃତ ତଥ୍ୟ ମଧ୍ୟରେ ତାଳମେଳ ରହୁନାହିଁ। ମହାମାରୀ ଏକ ଚଳନ୍ତି ସ୍ଥିତି ହୋଇଥିବାରୁ ଏହାର ଭବିଷ୍ୟତ ପ୍ରାଦୁର୍ଭାବ ଓ ଭୟାବହତା ଆକଳନ କରିବା ପାଇଁ ପ୍ରକୃତ ତଥ୍ୟର ଆବଶ୍ୟକତା ରହିଛି। ସେହିପରି କରୋନାଭୂତାଣୁର ରୂପାନ୍ତରୀକରଣ ମଧ୍ୟ ପ୍ରକୃତ ତଥ୍ୟ ହାସଲ କରିବାରେ ଅନ୍ତରାୟ ଆଣିଥାଏ। ତେବେ ଆମକୁ କୌଣସି ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ନିର୍ଦ୍ଧିଷ୍ଟ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସର୍ବୋପରି ଆମକୁ ଯେତେ ଶୀଘ୍ର ସମ୍ଭବ ଜାରି ରହିଥିବା ଗଣଟିକାକରଣ ସଂପୂର୍ଣ୍ଣ କରିବାକୁ ପଡ଼ିବ। ସେହିପରି ନମୁନା ପରୀକ୍ଷଣ ସଂଖ୍ୟା ବଢ଼ାଇବା ସହ ସଂକ୍ରମିତମାନଙ୍କ ଉପରେ ନିଘା ରଖିବାକୁ ହେବ। ସାମାଜିକ ସମାବେଶକୁ ସୀମିତ କରି ଯାତାୟାତରେ କଟକଣା, ଶିକ୍ଷାନୁଷ୍ଠାନ ଓ ବିଭିନ୍ନ କାର୍ଯ୍ୟାଳୟ ଆଦି ବନ୍ଦ ସହ ସାମାଜିକ ଦୂରତ୍ବ ନିଶ୍ଚିତ କରାଇବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।