୧୪ରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କୁଲ । ଛୋଟ ପିଲା ବିଦ୍ୟାଳୟ ଯିବା କେତେ ନିରାପଦ, ବିଶେଷଜ୍ଞ ରଖିଲେ ମତ ।

346

କନକ ବ୍ୟୁରୋ : ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ନିଷ୍ପତି ନେଇଛନ୍ତି । ହେଲେ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବେ କି ନାହିଁ, ଏହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ଅଭିଭାବକ । ଏମିତି ସମୟରେ ପିଲାଙ୍କୁ ସତର୍କତାର ସହ ସ୍କୁଲ ଛାଡିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ପିଲାଙ୍କୁ ସ୍କୁଲ ଛାଡିବାକୁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ ।

ସଂକ୍ରମଣ କମିବା ପରେ ଅଷ୍ଟମରୁ ଦଶମ ଶ୍ରେଣୀ ଅଫଲାଇନ ପାଠପଢ଼ା ଆରମ୍ଭ ହୋଇଛି । ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ । ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲ ଖୋଲିବାକୁ ଯାଉଥିବାରୁ ପିଲାଙ୍କ ଭିତରେ ଉତ୍ସାହ ବି ରହିଛି । ହେଲେ ଏବେ ପିଲାଙ୍କୁ ସ୍କୁଲକୁ ପଠାଇବେ କି ନାହିଁ ଏନେଇ ଅନେକ ଅଭିଭାବକ ଦ୍ୱନ୍ଦ୍ୱରେ ଅଛନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ହେଉଛି, ସଂକ୍ରମଣ କମୁଥିବାରୁ ବର୍ତମାନ ସମୟରେ ସ୍କୁଲ ଖୋଲାଯିବା ଆବଶ୍ୟକ ।

ଛାତ୍ରଛାତ୍ରୀ ସ୍କୁଲ ଆସିବା ସପକ୍ଷରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଉଥିଲେ ବି ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସ୍କୁଲ ଆସୁଥିବା ପିଲାଙ୍କୁ ରୁମାଲ ଓ ଏକ୍ସ୍ଟ୍ରା ମାସ୍କ ଦେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତିି ଡାକ୍ତର । ସେହିପରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି ।

ସ୍କୁଲ ଖୋଲିଲେ ପିଲାଙ୍କୁ ଛାଡିବାକୁ ରାଜି ଥିଲେ ବି ୨ ବର୍ଷ ଧରି ସ୍କୁଲ ବନ୍ଦ ଥିବାରୁ ଅଫଲାଇନ ପରୀକ୍ଷା ନକରିବାକୁ ଅଭିଭାବକମାନେ ଦାବି କରିଛନ୍ତି । ଅନ୍ୟପଟେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି ଶିକ୍ଷାବିତ । ସ୍କୁଲ କଲେଜ ଖୋଲୁଥିଲେ ବି ଅଫଲାଇନରେ ପରୀକ୍ଷା ନକରିବାକୁ ଦାବି ବଢ଼ିବାରେ ଲାଗିଛି । ଯାହାକି ଆଗାମି ଦିନରେ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିବାର ଆଶଙ୍କା ସୃଷ୍ଟି ହୋଇଛି ।