କନକ ବ୍ୟୁରୋ : ଓମିକ୍ରନ ମୁକାବିଲା ପାଇଁ ମାସ୍କ ପିନ୍ଧିବା ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଉଥିବାବେଳେ କିଭଳି ମାସ୍କ ପିନ୍ଧିବେ ତାକୁ ନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । କହିଛନ୍ତି, କପଡ଼ା ମାସ୍କ ସଂକ୍ରମଣ ରୋକିବାରେ ହୋଇପାରେ ବିଫଳ । ତେଣୁ ଡବଲ ମାସ୍କ ବ୍ୟବହାର ଓ ଉପଯୁକ୍ତ ଭାବେ ପିନ୍ଧିବା ଆବଶ୍ୟକ । ଏନ-୯୫ କିମ୍ବା କେଏନ-୯୫ ମାସ୍କ ସବୁଠୁ ଭଲ ।
ଓମିକ୍ରନ ଭୟ ଭିତରେ କେଉଁ ମାସ୍କ ପିନ୍ଧିବେ ଓ କିଭଳି ପିନ୍ଧିବେ ? କପଡା ମାସ୍କ ଆପଣଙ୍କ ପାଇଁ କେତେ ନିରାପଦ ? ଏନ-୯୫ ମାସ୍କ ବିପଦମୁକ୍ତ କି ? କରୋନାର ନୂଆ ଭାରିଏଂଟ ଓମିକ୍ରନ ବଢ଼ୁଥିବା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ହେଲେ କେଉଁ ମାସ୍କ ପିନ୍ଧିବେ ଓ କିପରି ପିନ୍ଧିବେ, ସେନେଇ ସଚେତନ ହେବା ଜରୁରୀ ହୋଇପଡିଛି । ବିଶେଷଜ୍ଞ ଡାକ୍ତର ବି ଏ ନେଇ ପରାମର୍ଶ ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା, କପଡ଼ା ମାସ୍କ ଓମିକ୍ରନ ଭୂତାଣୁକୁ ରୋକିବାରେ ବିଫଳ ହୋଇପାରେ । ତେଣୁ ଡବଲ ମାସ୍କ ବା ୩ ଲେୟାର ମାସ୍କ ବ୍ୟବହାର ଜରୁରୀ । ଗୋଟିଏ ଲେୟାର ମାସ୍କ ବ୍ୟବହାର କଲେ ଭୂତାଣୁ ପ୍ରବେଶର ସମ୍ଭାବନା ଅଧିକ ଥାଏ ।
କରୋନା ଆସିବା ସମୟରେ ବିଶେଷଜ୍ଞମାନେ କପଡା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏପରିକି ଏନ-୯୫ ମାସ୍କ ବ୍ୟବହାର ନ କରିବାକୁ ଅନେକ ବିଶେଷଜ୍ଞ କହିଥିଲେ । ଏବେ କିନ୍ତୁ ଓମିକ୍ରନ ଦ୍ରୁତଗତିରେ ବ୍ୟାପୁଥିବାରୁ ଏନ-୯୫ ମାସ୍କ ବ୍ୟବହାର ଉପରେ ବିଶେଷଜ୍ଞ ପୁଣି ଗୁରୁତ୍ୱ ଦେଇଛନ୍ତି ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ରଙ୍ଗବେରଙ୍ଗର କପଡା ମାସ୍କ ଶରୀରରେ ହୁଏତ ଭଲ ଦେଖାଯାଇପାରେ । କିନ୍ତୁ ଏହି ମାସ୍କର ୭୫ ପ୍ରତିଶତ ଅଂଶରେ ଲିକେଜ ରହିଥାଏ । କିନ୍ତୁ ଏ ଦୃଷ୍ଟିରୁ ଦେଖିଲେ ଏନ-୯୫ ମାସ୍କ ଓ ୩ ସ୍ତର ବିଶିଷ୍ଟ ମାସ୍କ ୯୫ ପ୍ରତିଶତ ନିରାପଦ । ତେଣୁ ତିନିସ୍ତରର ମାସ୍କ ଓ ଏନ-୯୫ ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଭୂତାଣୁ ପ୍ରବେଶ କରିବାର ସମ୍ଭାବନା ବହୁତ କମ୍ ଥାଏ । ହାଇରିସ୍କ ସ୍ଥାନକୁ ଗଲେ ଏନ-୯୫ ଭଲ ବୋଲି ବିଶେଷଜ୍ଞ କହିଛନ୍ତି । ତେଣୁ ଏଭଳି ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।