ସ୍ୱାଭିମାନ ଅଂଚଳରେ ସୁଧୁରୁଛି ସ୍ୱାସ୍ଥ୍ୟସେବା । ଯୋଡାମ୍ବରେ ପହଂଚିଲା ବିଶେଷଜ୍ଞ ଦଳ : ପ୍ରଥମ ଥର ଲାଗି ପଂହଚିଲା କନକ ନ୍ୟୁଜ

46

କନକ ବ୍ୟୁରୋ : ବିକାଶ ମୁହାଁ ସ୍ୱାଭିମାନ ଅଂଚଳ । ଦିନେ ଲାଲଗଡ ପାଲଟି ଥିବା ଆଦିବାସୀ ବହୁଳ ସ୍ୱାଭିମାନ ଅଂଚଳରେ ଆଗକୁ ବଢୁଛି ରାସ୍ତାଘାଟ । ସୁଧୁରୁଛି ସ୍ୱାସ୍ଥ୍ୟସେବା । ପୁଷ୍ଟିହିନତାକୁ ନେଇ ଚର୍ଚ୍ଚାରେ ଥିବା ଅଂଚଳର ଶିଶୁ ଓ ମହିଳାଙ୍କୁ ସ୍ୱାସ୍ଥ୍ୟ ଯୋଗାଇବା ଉଦେଶ୍ୟରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଦୁର୍ଗମ ଅଂଚଳର ଉଜୁଡା ସ୍ୱାସ୍ଥ୍ୟ ସେବାକୁ ସଜାଡିବା ପାଇଁ ଅଂଟା ଭିଡିଛି ପ୍ରଶାସନ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ୪ ଜଣ ଡାକ୍ତରଙ୍କୁ ସ୍ୱାଭିମାନ ଅଂଚଳରେ ନିଯୁକ୍ତି ଦିଆଯାଇଛି । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ମାଲକାନଗିରିରୁ ଚିତ୍ରକୋଣ୍ଡା, ଜନ୍ତାପାଇ, ହନ୍ତାଳଗୁଡା, ଜନ୍ତୁରାଇ ଦେଇ ଯୋଡାମ୍ବୋରେ ପହିଂଚିଛନ୍ତି ଡାକ୍ତରୀ ଟିମ୍ ।

ଆଜି ଯୋଡାମ୍ବୋରେ ସ୍ୱାସ୍ଥ୍ୟ ଶିବିର କରି ଜଣେ ଶିଶୁ ରୋଗ, ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଏବଂ ୨ ଜଣ ଏମ୍ବିବିଏସ୍ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି । ମଙ୍ଗଳବାର ଦିନ ଚିତ୍ରକୋଣ୍ଡା, ଶୁକ୍ରବାର ଦିନ ଜାନବାଇ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା ଡାକ୍ତରମାନେ ରବିବାର ଦିନ ଯୋଡାଆମ୍ବ ଡାକ୍ତରଖାନାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ମାଲକାନଗିରିଡ ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ୯ଟି ପଂଚାୟତକୁ ସ୍ୱାଭିମାନ ଅଂଚଳ ବୋଲି କୁହାଯାଏ । ସେହି ୯ଟି ପଂଚାୟତର ୧୫୦ଟି ଗାଁରେ ପ୍ରାୟ ୩୨ ହଜାର ଲୋକ ବସବାସ କରନ୍ତି । ଏହି ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରଶାସନ ଉଦ୍ୟମ କରୁଛି ।