କୃତ୍ରିମ ଫୁସଫୁସରେ କରୋନା ଭୂତାଣୁର ପ୍ରଭାବ ନେଇ ପରୀକ୍ଷଣ । ୪୮ ଘଂଟା ପରେ କୋଷ, ଭୂତାଣୁ ବିରୁଦ୍ଧରେ କରୁଥିବା ଲଢ଼େଇ ପ୍ରକ୍ରିୟା ହେଉଛି ତୀବ୍ର । ମିନି ଫୁସଫୁସ୍ ଦେଖାଇବ କି କରୋନା ଚିକିତ୍ସାର ବାଟ ।

475

କନକ ବ୍ୟୁରୋ : ଫୁସଫୁସକୁ ଘାତକ ହୋଇଛି କରୋନା ଭୂତାଣୁ । କରୋନାରେ ଆକ୍ରାନ୍ତ ହେବା ପରେ ଯଦି ଏହା ଫୁସଫୁସକୁ ସଂକ୍ରମିତ କରୁଛି ତେବେ ମୃତ୍ୟୁ ମୁଖରେ ପଡୁଛି ମଣିଷ । କାହିଁକି ଫୁସଫୁସ ଏହି ଭୂତାଣୁ ଦ୍ୱାରା ଏତେ ପ୍ରଭାବିତ ହେଉଛି ଏନେଇ ବୈଜ୍ଞାନିକ ମାନେ ଆରମ୍ଭ କରିଛନ୍ତି ଗବେଷଣା । ଏକ କୁତ୍ରିମ ଫୁସଫୁସ ତିଆରି କରି ଏଥିରେ କରୋନା ଭୂତାଣୁ ପ୍ରୟୋଗ କରାଯାଇଛି ।

ୟୁକେ ଓ ସାଉଥକୋରିଆର ବୈଜ୍ଞାନିକମାନେ ଏହାର ଅନୁଧ୍ୟାନ କରୁଛନ୍ତିି । ଯଦି ଗବେଷଣା ସଫଳ ହୁଏ ତେବେ କରୋନା ଭୁତାଣୁ କବଳରୁ ଫୁସଫୁସକୁ ରକ୍ଷା କରିବା ପାଇଁ ବାଟ ମିଳିବ ବୋଲି ଆଶା କରାଯାଉଛି ।

ସାରା ବିଶ୍ୱ କରୋନା ମୁକାବିଲା କରିବା ପାଇଁ ଦିନରାତି ଏକ କରି ଦେଇଛି । ଦେଶ ବିଦେଶର ସମସ୍ତ ବୈଜ୍ଞାନିକ ଏହି ମାରାତ୍ମକ ଭୂତାଣୁର ଗୁଣଧର୍ମ ଚିହ୍ନଟ କରିବା ସହ ଏହାର ମୁକାବିଲା ପାଇଁ ଔଷଧ ତିଆରି ପାଇଁ ଗବେଷଣା ଜାରି ରଖିଛନ୍ତି । କରୋନା ଭୂତାଣୁ ସଂକ୍ରମଣ ଫଳରେ ଶ୍ୱାସତନ୍ତ୍ର ପ୍ରଭାବିତ ହୋଉଥିବା ବେଳେ ଫୁସ୍ଫୁସ୍ ବେଶ୍ କ୍ଷତିଗ୍ରସ୍ତ ହୋଇଥାଏ । ଅଧିକାଂଶ କରୋନା ଜନିତ ମୃତ୍ୟୁରେ ଫୁସଫୁସ ଜନିତ ସମସ୍ୟା ହୋଇଥାଏ ମୁଖ୍ୟ କାରଣ ।

ଫୁସଫୁସରେ ମୌଳିକ କୋଷ ‘ଆଲ୍ଭିଓଲି’ ଉପରେ କରୋନା ଭାଇରସ୍ କିପରି ପ୍ରଭାବ ପକାଏ ଓ ତାକୁ କିଭଳି ପ୍ରତିକ୍ରିୟା ଦେଖାଇଥାଏ ଏହି କୋଷ ? ବିଶ୍ୱରେ ଏନେଇ ଦୁଇ ଦୁଇଟି ସ୍ଥାନରେ ଚାଲିଛି ଗବେଷଣା । ଏନେଇ ଦକ୍ଷିଣ କୋରିଆ ଓ ବ୍ରିଟେନର ଗବେଷକମାନଙ୍କ ଗବେଷଣା ପ୍ରବନ୍ଧ, ସେଲ୍ଷ୍ଟେମ୍ ପ୍ରେସ୍ ନାମକ ପତ୍ରିକାରେ ପ୍ରକାଶିତ ହୋଇଛି ।

ଫୁସ୍ଫସ୍ର କୋଷ ‘ଆଲ୍ଭିଓଲି’ରେ ରକ୍ତ ସହ ଆମେ ପ୍ରଶ୍ୱାସରେ ନେଉଥିବା ଅମ୍ଳଜାନ ଓ ଛାଡୁଥିବା ଅଙ୍ଗାରକାମ୍ଳର ଆଦାନ ପ୍ରଦାନ ହୋଇଥାଏ । ଏହି କୋଷିକା ସଂକ୍ରମିତ ହେଲେ ନେମୋନିଆ ଓ ଶ୍ୱାସ ପ୍ରକ୍ରିୟା କଷ୍ଟକର ହୋଇଥାଏ । ଏହା ହିଁ କୋଭିଡ୍ ରୋଗୀଙ୍କ ମୃତ୍ୟୁର ମୁଖ୍ୟ କାରଣ ହୋଇଥାଏ ବୋଲି ଏହି ଗବେଷକମାନ କହିଛନ୍ତି ।
ବୈଜ୍ଞାନିକମାନେ ଗବେଷଣାଗାରରେ ମିନି ଫୁସ୍ଫୁସ୍ ପ୍ରସ୍ତୁତ କରି ଏଥିରେ କରୋନା ଭୂତାଣୁ ସଂକ୍ରମଣ କରାଇ ପ୍ରତିଟି ସ୍ତରକୁ ଅନୁଧ୍ୟାନ କରିଛନ୍ତି । ଫୁସ୍ଫୁସ୍ କୋଷରେ କରୋନା ଭୂତାଣୁ ସଂକ୍ରମଣ କରିବା ପରେ ତୀବ୍ର ବେଗରେ ଭୂତାଣୁ ତା’ର ନିଜ ସଂଖ୍ୟା ବୃଦ୍ଧି କରିଥାଏ । ଗବେଷକଙ୍କ ଅନୁସାରେ, ମାତ୍ର ୬ ଘଂଟାରେ ଏହିକୋଷ ଇନ୍ରଫେରନ୍ ନାମକ କଣିକା ପ୍ରସ୍ତୁତ କରି ପାଖରେ ଥିବା କୋଷକୁ ସତର୍କ କରାଇଥାଏ । ୪୮ ଘଂଟା ପରେ କୋଷ ଭୂତାଣୁ ବିପକ୍ଷରେ ଲଢେଇ ତୀବ୍ର କରିଥାଏ । କିନ୍ତୁ ସଂକ୍ରମଣର ୬୦ ଘଂଟା ପରେ ଆଲ୍ଭିଓଲି ବା ଫୁସ୍ଫୁସ୍ କୋଷ ନଷ୍ଟ ହେବା ଆରମ୍ଭ କରିଥାଏ ।
ଏହାରି ଭିତରେ ଡ୍ୟୁକ୍ ୟୁନିଭର୍ସିଟିର ଜୀବବିଜ୍ଞାନୀ ପୁରୁଷୋତମ ରାଓ ଟାଟାଙ୍କ ଟିମ୍ ଏଭଳି ଏକ ଫୁସ୍ଫୁସ୍ କୋଷ ଚିହ୍ନଟ କରିଛନ୍ତି, ତାହା ବହୁଗୁଣିତ ହୋଇ ଭୂତାଣୁ ବିରୋଧରେ ଲଢେଇ କରିବାକୁ ସକ୍ଷମ ହେଉଛି । ଫଳରେ କରୋନା ମୁକାବିଲା ପାଇଁ ଏକ ନୂଆ ବାଟର ଆଶା ସଂଚାର ହୋଇଛି ।