କନକ ବ୍ୟୁରୋ : ନମ୍ବରପ୍ଲେଟକୁ ନେଇ ଅନେକ ଲୋକଙ୍କର ଦୁର୍ବଳତା ରହିଥାଏ । କେମିତି ଭଲ ନମ୍ବରଟିଏ ମିଳିବ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନଥାନ୍ତି ଗାଡି ମାଲିକ । ଆଉ ଏବେ ତ ଏହା ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ନିଜର ସୌକ ପୂରା କରିବା ପାଇଁ ଭିଭିଆଇପି ନମ୍ବର ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିବାର ଅନେକ ନଜିର ରହିଛି । କିନ୍ତୁ ବିଶ୍ୱର ସବୁଠୁ ଦାମୀ ନମ୍ବର ପ୍ଲେଟ ଓ ଏହାର ମାଲିକ କିଏ ଜାଣନ୍ତି କି?

Advertisment

ବିଶ୍ୱର ସବୁଠୁ ମହଙ୍ଗା ନମ୍ବର ପ୍ଲେଟ ବ୍ରିଟେନ ବାସିନ୍ଦା କାର ଡିଜାଇନର ଅଫଜଲଙ୍କ ନାଁରେ ରହିଛି । ୧୪ ବର୍ଷ ପୂର୍ବେ ଏଫ୍-୧ ନମ୍ବରକୁ ୪ କୋଟି ଟଙ୍କାରେ କିଣିଥିଲେ । ସେବେଠାରୁ ଏଯାବତ ଏହି ନମ୍ବର ପ୍ଲେଟର ଦାମ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି । କିଛି ୱେବସାଇଟ ଏହି ନମ୍ବରପ୍ଲେଟକୁ ସବୁଠୁ ଦାମୀ ନମ୍ବରପ୍ଲେଟ ବୋଲି କହିଛନ୍ତି । ତେବେ ଏହି ନମ୍ବରପ୍ଲେଟ ପାଇଁ ଅଫଜଲକୁ କୋଟି କୋଟି ଟଙ୍କାର ଅଫର ଆସିଛି କିନ୍ତୁ ଏହାକୁ କେବେ ବିକି ନାହାନ୍ତି ଅଫଜଲ ।

ଅଫଜଲ କହିଛନ୍ତି ଯେତେବେଳ ଯାଏଁ ଭଲ ଦାମର ଅଫର ମିଳିନାହିଁ ସେତେବେଳ ଯାଏଁ ଏହି ନମ୍ବର ପ୍ଲେଟକୁ ବିକିବି ନାହିଁ । କିଛି ୱେବସାଇଟ ଅନୁଯାୟୀ, ଏହି ନମ୍ବରପ୍ଲେଟର ଦାମ ଏବେ ୩୪୦ କୋଟି ଟଙ୍କା ରହିଛି । ଏବେ ଅଫଜଲ ଏହି ନମ୍ବରକୁ ନିଜର ବୁଗାଡି କାରରେ ଲଗାଇଛନ୍ତି । ସେହିଭଳି ବିଶ୍ୱର ଦ୍ୱିତୀୟ ଦାମୀ ନମ୍ବରପ୍ଲେଟର ଦାମ ୧୦୯ କୋଟି ରହିଛି । ଏହାର ନମ୍ବର ହେଉଛି ୧ । ସେହିଭଳି ତୃତୀୟ ଦାମୀ ନମ୍ବର ପ୍ଲେଟର ଦାମ ୭୩ କୋଟି ରହିଛି । ଏହି ଗାଡିର ନମ୍ବର AA୮ ରହିଛି ।