ଏବେ ଓଡିଶାରେ ମାଗଣାରେ ମିଳିବ ବ୍ୟୟବହୁଳ ଇକମୋ ଚିିକିତ୍ସା । କଟକ ବଡ ଡାକ୍ତରଖାନାରେ ଇକମୋ ୟୁନିଟର ଲୋକାର୍ପଣ କଲେ ନବୀନ

121

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ଜୀବନ ବଂଚାଇବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଇକମୋ ଚିକିତ୍ସା ପାଇଁ ଏମିତି ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । କାରଣ ଓଡିଶାରେ ମାଗଣାରେ ମିଳିବ ଇକମୋ ଚିକିତ୍ସା । ଏଥିପାଇଁ କଟକ ଏସସିବି ମେଡିକାଲରେ ୯ଟି ଇକମୋ ମେସିନ କାର୍ଯ୍ୟକ୍ଷମ ହୋଇଛି । ଇକମୋ ୟୁନିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇକମୋ ୟୁନିଟର ଉଦଘାଟନ ଅବସରରେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଦ୍ୱୀତିୟ ଲହରର ଅନୁଭୂତି ବହୁତ କଷ୍ଟ ଦାୟକ । ଲକଡାଉନ କୋହଳ ହୋଇଛି ହେଲେ ଆମକୁ ସତର୍କ ରହିବାକୁ ହେବ । ଏଥିରେ ପିଲାମାନେ ବେଶି ସଂକ୍ରମଣ ହେବେ ବୋଲି ବିଶେଷଜ୍ଞମାନେ କହୁଥିବାରୁ ଆମକୁ ସତର୍କ ରହିବା ସହ କଡାକଡି ଭାବେ କୋଭିଡ ନିୟମ ପାଳନ କରିବାକୁ ହେବ ।

କରୋନାରେ ଆକ୍ରାନ୍ତ ହେବା ପରେ ଯେଉଁମାନଙ୍କର ଫୁସଫୁସ ସଂକ୍ରମିତ ହେଉଛି, ଆଉ ଗୁରୁତର ହୋଇପଡୁଛନ୍ତି, ସେମାନଙ୍କ ପାଇଁ ଶେଷ ଭରଷା ସାଜିଛି ଇକମୋ ମେସିନ୍ । କିନ୍ତୁ ଇକମୋ ଚିକିତ୍ସା ବ୍ୟୟବହୁଳ ହୋଇଥିବାରୁ ସମସ୍ତଙ୍କ ପକ୍ଷେ ଏହା କରାଇବା ସମ୍ଭବ ନୁହେଁ । ତଥାପି ରାଜ୍ୟରେ ଇକମୋ ଚିକିତ୍ସା ସୁବିଧା ନଥିବାରୁ ଦ୍ୱିତୀୟ ଲହର ସମୟରେ ଅନେକ ଲୋକ ଗୁରୁତର ହେବା ପରେ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯାଇଥିଲେ । କିନ୍ତୁ ଏବେ ଏସସିବିରେ ଇକମୋ ୟୁନିଟ୍ ଆରମ୍ଭ ହେବା ପରେ ଏହା ଓଡିଶାବାସୀଙ୍କ ପାଇଁ ବେଶ୍ ସହାୟକ ହେବ । କେବଳ ରାଜ୍ୟ ନୁହେଁ ଏହା ପୂର୍ବ ଭାରତର ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍ ହେବ । ଯାହାକି ଅନେକଙ୍କ ଜୀବନ ବଂଚାଇବାରେ ସହାୟକ ହେବ ।