ଚାକିରି ସହକାରୀ ଯନ୍ତ୍ରୀ, ହେଲେ ଧନରେ କୁବେର । ବିକାଶ ଭୂୟାଁଙ୍କ ଭୁବନେଶ୍ୱର ସୌଭାଗ୍ୟନଗର ଘରୁ ମିଳିଲା ଦାମୀ ହୀରା ହାର । ଘରେ ଲକ୍ଷ ଲକ୍ଷ ଟଙ୍କାର ଇଣ୍ଟେରିୟର

144

କନକ ବ୍ୟୁରୋ: ନାଁ ବିକାଶ ଚନ୍ଦ୍ର ଭୂୟାଁ । କଟକ ସଦର ବ୍ଲକର ସହକାରୀ ଯନ୍ତ୍ରୀ । ବିକାଶଙ୍କ ବିଳାସପୂର୍ଣ୍ଣ ଜୀବନଯାପନର କଥା ସେତେବେଳେ ସାମ୍ନାକୁ ଆସିଛି, ଯେତେବେଳେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଛି । ଏହି ସରକାରୀ ଯନ୍ତ୍ରୀଙ୍କ ବିଳାସମୟ ଜୀବନଯାପନ କୌଣସି ସେଲିବ୍ରିଟିଙ୍କଠୁ ବି କମ୍ ନୁହେଁ । ବାବୁଙ୍କ ଉଭା ଯେତେ, ପୋତା ସେତେ । ଘରର ମାର୍ବଲଠୁ ଆରମ୍ଭ କରି ସିଲିଂ ପର୍ଯ୍ୟନ୍ତ, ସବୁକିଛି ବ୍ରାଣ୍ଡେଡ୍ । ଏପରିକି ସ୍ତ୍ରୀଙ୍କୁ ଉପହାର ବାବଦରେ ମାଳମାଳ ସୁନାଗହଣା ଦେଇଥିବା ବେଳେ ହୀରା ହାରର ଉପହାର ନେଇ ଚର୍ଚ୍ଚା ବଢ଼ିଛି । ପତ୍ନୀଙ୍କୁ ଟିକେ ଖୁସି କରିବାକୁ ଏ ସରକାରୀ ବାବୁ ଜଣକ ୫୦ରୁ ଅଧିକ ହୀରା ଲାଗିଥିବା ଏକ ହାର ଉପହାର ଦେଇଛନ୍ତି । ୧୮ କ୍ୟାରେଟ୍ ରୋଜଗୋଲ୍ଡରେ ଡାଇମଣ୍ଡ ଫିଟେଡ୍ ଏହି ହାରକୁ ଆକଳନ କରିବା ପାଇଁ ଭିଜିଲାନ୍ସ ନାକେଦମ ହୋଇଛି ।

  • ବିକାଶଙ୍କ ବିଳାସପୂର୍ଣ୍ଣ ଘର
  • ପିଲାଙ୍କ ପାଠପଢ଼ା ପାଇଁ କୋଟି କୋଟି ଟଙ୍କା

ଭୁବନେଶ୍ୱର ସୌଭାଗ୍ୟନଗର ଘର ବେଡରୁମରେ ଥିବା ଆଂଟିକ୍ ପିସ୍, କପବୋର୍ଡ ଓ ଇଂଟେରିୟରଠୁ ଆରମ୍ଭ କରି ଆସବାବପତ୍ର ପର୍ଯ୍ୟନ୍ତ ଅତ୍ୟନ୍ତ ସୌଖୀନ ଓ ନାମୀଦାମୀ ବ୍ରାଣ୍ଡର । ଏପରିକି ସିଡି ଘରଠୁ ନେଇ ବାଲକୋନୀ ବି ଚକାଚକ । ୩୨ଶହ ବର୍ଗଫୁଟର ଏହି ଦୁଇ ମହଲା ବିଶିଷ୍ଟ ଘର କୋଟି କୋଟି ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । କେବଳ ସେତିକି ନୁହେଁ, ଜମିଜମାର କାଗଜପତ୍ର ଓ ଆକାଉଂଟରୁ ଟଙ୍କା ଖୋଜିଖୋଜି ଅଫିସରଙ୍କ ଆଖି ଖୋସି ହୋଇଗଲାଣି । ତେବେ କୋଟିପତିବାବୁଙ୍କ ପାଖରୁ ବର୍ତମାନ ସୁଦ୍ଧା ଭିଜିଲାନ୍ସକୁ କ’ଣ ସବୁ ମିଳିଛି, ନଜର ପକାନ୍ତୁ…

  • ଭୁବନେଶ୍ୱରର ସୌଭାଗ୍ୟନଗରରେ ରହିଛି ୩୨ଶହ ସ୍କୋୟାର ଫୁଟର ୨ମହଲା ବିଶିଷ୍ଟ ବିଳାସପୂର୍ଣ୍ଣ ଘର
  • ଭୁବନେଶ୍ୱର ଓ କଟକର ପ୍ରମୁଖ ଜାଗାରେ ରହିଛି ୭ଟି ଜମି
  • ବରମୁଣ୍ଡା ମୌଜାର ସୌଭାଗ୍ୟନଗରରେ ରହିଛି ୪ଟି ଡିସମିଲ ଜମି
  • ବରମୁଣ୍ଡା ମୌଜାରେ ରହିଛି ୩ ଡିସମିଲ ଜମି
  • ଆଇଗିଣିଆରେ ରହିଛି ୧୩ ଡିସମିଲ ଜମି
  • କଟକ ପ୍ରତାପନଗରୀରେ ୨ ଡିସମିଲ ଓ ୮ ଡିସମିଲ ଜମି
  • କଟକ ସଦରରେ ରହିଛି ୧.୦୨୦ ଡିସମିଲ ଜମି
  • କଟକ ବାଲିସାହିରେ ୧.୪୦ ଡିସମିଲ ଜମି
  • ଏହାସହିତ ପିଲାଙ୍କ ପାଠପଢ଼ା ବାବଦକୁ ୧ କୋଟି ଟଙ୍କା
  • ବ୍ୟାଙ୍କ ଡିପୋଜିଟ୍ ୧୨.୬୨ ଲକ୍ଷ ଟଙ୍କା
  • ୩୮ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର
  • କ୍ରିପ୍ଟୋ କରେନ୍ସିରେ ଲାଗିଛି ୧.୨୩ ଲକ୍ଷ ଟଙ୍କା
  • ଏହାସାଙ୍ଗକୁ ଚାରିଚକିଆ ଓ ଦୁଇଚକିଆ ଯାନ

ଏହି କୋଟିପତି ବାବୁ ଜଣକ ଫିଲ୍ଡ ପୋଷ୍ଟିଂ ହୋଇଥିବାରୁ କୋଟିକୋଟି ଟଙ୍କା ବାଟମାରଣା କରିଛନ୍ତି । ପିସି ନଦେଲେ, କୌଣସି କାମ ଆରମ୍ଭ କି ଶେଷ କରନ୍ତିନି ବାବୁ । ବାରମ୍ବାର ଭିଜିଲାନ୍ସରେ ପିଟିସିନ ପଡ଼ିବା ପରେ ଏକ ବଡ଼ଧରଣର ରେଡ୍ ଜାରି ରହିଛି । ବଡ଼ ପ୍ରଶ୍ନ ହେଉଛି, କେମିତି ରାତାରାତି କୋଟିପତି ବନିଗଲେ ଏହି ସରକାରୀ ଯନ୍ତ୍ରୀ? କାହା ଟଙ୍କାରେ ଛିଡ଼ା କରିଛନ୍ତି ଏ ବିରାଟ ଅଟ୍ଟାଳିକା?