ବଜେଟ୍ ପରେ ଲୋକଙ୍କ ଉପରେ ମହଙ୍ଗା ମାଡ । ବଢିଲା ରୋଷେଇ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ ଦର

136

କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ଗୁରୁବାର ପୁଣି ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ଲେଖାଏଁ ବଢିଥିବା ବେଳେ ପ୍ରତି ଏଲପିଜି ସିଲିଣ୍ଡର ଉପରେ ଦାମ ୩୫ ଟଙ୍କା ବୃଦ୍ଧି ପାଇଛି ।
ସୂଚନା ଥାଉକି ବଜେଟ୍ ରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଯାଇଛି । କିନ୍ତୁ ସରକାର କହିଛନ୍ତି କି ଏହା ଉପଭୋକ୍ତାଙ୍କ ଉପରେ ବୋଝ ହେବ ନାହିଁ ।
ଇଣ୍ଡିଆନ ଅଏଲର ସୂଚନା ମୁତାବକ ଉପଭୋକ୍ତାଙ୍କୁ ୧୪ କିଲୋଗ୍ରାମ ଅଣ-ସବସିଡି ଘରୋଇ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ୨୫ ଟଙ୍କା ଦେବାକୁ ପଡିବ । ଏହି ଦର ଧାର୍ଯ୍ୟ ହେବା ପରେ ଦିଲ୍ଲୀରେ ସିଲିଣ୍ଡର ପିଛା ୭୧୯ ଟଙ୍କା, କୋଲକତାରେ ୭୪୫.୫୦ ଟଙ୍କା, ମୁମ୍ବାଇରେ ୭୧୦ ଓ ଚେନ୍ନାଇରେ ୭୩୫ ଟଙ୍କା ହୋଇଛି । ଅନ୍ୟପଟେ ଆନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳ ମୂଲ୍ୟ ଲଗାତର ଭାବେ ବୃଦ୍ଧି ପାଉଛି   । ତେଣୁ ଦେଶରେ ତୈଳଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଥିବା କଥା କହିଛି ଇଣ୍ଡିଆନ ଅଏଲ ।
ଯଦି ଦେଶର ପ୍ରମୁଖ ସହର ମାନଙ୍କରେ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ଦେଖାଯିବ ତେବେ ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ୮୬.୬୫ ଟଙ୍କା, ଡିଜେଲ ୭୬.୮୩ ଟଙ୍କାରେ ପହଂଚିଛି । ସେହିଭଳି ମୁମ୍ବାଇରେ ପେଟ୍ରୋଲ ୯୩.୨୦ ଟଙ୍କା, ଓ ଡିଜେଲ ୮୩.୬୭ ଟଙ୍କାରେ ପହଂଚିଛି । ଚେନ୍ନାଇରେ ପେଟ୍ରୋଲ ଦର ୮୯.୧୩ ଟଙ୍କା ଓ ଡିଜେଲର ଦର ୮୨.୦୪ ଟଙ୍କା ରହିଛି । କୋଲକତାରେ ପେଟ୍ରୋଲ ଦାମ ୮୮.୦୧ ଟଙ୍କା ଥିବା ବେଳେ ଡିଜେଲର ଦାମ ୮୦.୪୧ ଟଙ୍କା ରହିଛି ।
କହିରଖୁ କି ଆଜି ତୈଳଦର ବୃଦ୍ଧିପରେ ଚଳିତ ବର୍ଷ ଏହା ସର୍ବାଧିକ ସ୍ତରରେ ପହଂଚିଛି । ଫଳରେ ଦେଶର ଖାଉଟି ମାନଙ୍କ ପାଇଁ ସମସ୍ତ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି । ବର୍ଷ ୨୦୨୧-୨୨ ବଜେଟରେ ପେଟ୍ରୋଲ ଉପରେ ୨.୫୦ ଟଙ୍କା ପ୍ରତି ଲିଟର ଓ ଡିଜେଲ ଉପରେ ୪ ଟଙ୍କା ପ୍ରତି ଲିଟର କୃଷି ସେସ୍ ଲଗାଇବାକୁ ସରକାର ନିସ୍ପତ୍ତି ନେଇଛନ୍ତି । ହେଲେ ଏହି କୃଷି ସେସ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ପଡିବ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଛନ୍ତି । ସେ କହିଛନ୍ତି କି କୃଷି ସେସ୍ ବୃଦ୍ଧି ସହ ବାଣିଜ୍ୟ ଏକ୍ସସାଇଜ୍ ଡ୍ୟୁଟି ଓ ଆଡିସିନାଲ ଏକ୍ସସାଇଜ୍ ଡ୍ୟୁଟି ରେଟ୍ କମ୍ କରାଯାଇଛି ।