ବିଧାନସଭା ନିର୍ବାଚନ ପରେ ମହଙ୍ଗା ମାଡ! ତେଲ ଦର ଲିଟର ପିଛା ବଢିପାରେ ୬ ରୁ ୧୦ ଟଙ୍କା    

145

କନକ ବ୍ୟୁରୋ: ନିର୍ବାଚନ ବି ଆପଣଙ୍କ ପାଇଁ ଏକ ବଡ ଆଶ୍ୱସ୍ତି ଆଣିପାରେ, ଏହା ବୋଧହୁଏ ଆପଣ ଚିନ୍ତା କରିନଥିବେ । କିନ୍ତୁ ଏହି ନିର୍ବାଚନ ପାଇଁ ଆପଣଙ୍କ ପକେଟ ଉପରେ ବେଶି ଚାପ ପଡୁନାହିଁ । ୟୁପି, ପଞ୍ଜାବ ଭଳି ରାଜ୍ୟରେ ନିର୍ବାଚନ ପାଇଁ ପେଟ୍ରୋଲ ଦର ସ୍ଥିର ରହିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଚାଲିଥିଲେ ବି ଜନତାଙ୍କ ଉପରେ ବୋଝ ବଢିବା ଆଶଙ୍କାରେ ତେଲ ଦର ବଢାଉ ନାହାନ୍ତି ସରକାର ।

ଦେଶର ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ, ତେଲ ଦର ସ୍ଥିର ରହିଛି । ଜନମତ ପ୍ରଭାବିତ ହେବା ଭୟରେ ଓ ସରକାରଙ୍କ ଚାପରେ ଦର ବଢାଇ ପାରୁ ନାହାନ୍ତି ଭାରତୀୟ ତୈଳ କମ୍ପାନୀ । ଆଉ ଏହା ସାଧାରଣ ଲୋକଙ୍କୁ ମହଙ୍ଗା ମାଡରୁ ଆଶ୍ୱସ୍ତି ଆଣି ଦେଇଛି । ସେପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦର ଲଗାତାର ବଢୁଛି । ଏପଟେ ନିର୍ବାଚନ ଚାପରେ ଦର ବଢାଇନପାରି କ୍ଷତି ସହୁଛନ୍ତି ଭାରତୀୟ ତୈଲ କମ୍ପାନୀ । ତେଣୁ ୫ ରାଜ୍ୟର ନିର୍ବାଚନ ଫଳ ପରେ ଅର୍ଥାତ୍ ମାର୍ଚ୍ଚରେ ପୁଣି ତୈଲ ଦର ବଢିବା ଅନୁମାନ କରୁଛନ୍ତି ବଜାର ବିଶେଷଜ୍ଞ । ପାଖା ପାଖି ଲିଟର ପିଛା ୬ରୁ ୧୦ ଟଙ୍କା ବଢିବ ବୋଲି ଅନୁମାନ କରାଯାଉଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଲ ଦର ଏବେ ବ୍ୟାରେଲ ପିଛା ୯୩ରୁ ୯୫ ଡଲାର ରହିଛି । ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଲ ଦର ବଢିଚାଲିଥିବା କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ । ୟୁକ୍ରେନ ଓ ରୁଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଲାଗି ରହିଲେ, ମାର୍ଚ୍ଚରେ ପୁଣି ଅଶୋଧିତ ତୈଲ ଦର ବଢିବ ଏବଂ ଏହାର ସିଧା ପ୍ରଭାବ ଭାରତରେ ଦେଖା ଦେବ ବୋଲି ଚର୍ଚ୍ଚା ହେଉଛି । ଅବଶ୍ୟ ରୁଷ ସୈନ୍ୟ ଫେରାଇବା ନେଇ ପଦକ୍ଷେପ ନେବା ପରେ ଏହି ଯୁଦ୍ଧ ଆଶଙ୍କା ଟିକିଏ କମିଯାଇଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ଏକ ଡଲାର ବଢିଲେ ଭାରତରେ ଲିଟର ପିଛା ଦର ୫୦ ପଇସା ବଢିଥାଏ । କିନ୍ତୁ ଦିପାବଳୀ ପରଠୁ ଅଶୋଧିତ ତେଳର ଦର ୨୫ ଡଲାର ବଢିଲାଣି କିନ୍ତୁ ଦେଶରେ ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି ।