ସମ୍ମାନ ବଦଳରେ ସମର୍ଥନ ଆଶା! ବିଜେପି ଫୋକସରେ ମହିଳା ଭୋଟର

79

କନକ ବ୍ୟୁରୋ: ବିଜେପିର ଫୋକରରେ ବି ମହିଳା ଭୋଟର । ମାର୍ଚ୍ଚ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଲକ୍ଷେ ମହିଳାଙ୍କୁ ସମ୍ମାନିତ କରିବାକୁ ଯାଉଛନ୍ତି । ଏହାକୁ ଆଧାର କରି ରାଜ୍ୟରେ ବିରୋଧୀ ବିଜେପି ମହିଳା ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ସେପଟେ ଏହାର ଜବାବ ରଖିଛି ବିଜେଡି । ନବୀନ ସରକାର ସମୟରେ ମହିଳାଙ୍କ ବିକାଶ ହୋଇଛି ବୋଲି ଦଳ କହିଛି ।

ଖୁବଶୀଘ୍ର ବାଜିବ ନିର୍ବାଚନ ବିଗୁଲ । ଏଥିପାଇଁ ପ୍ରତ୍ୟେକ ବର୍ଗର ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଛି । ମହିଳା ଭୋଟ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ନିର୍ଣ୍ଣାୟକ ହୋଇଥିବାରୁ ଏହି ଭୋଟବ୍ୟାଙ୍କ ଉପରେ ଆଖି ପକାଇଛି ଦଳ । ଏଥିପାଇଁ ରଣନୀତି ବି ହୋଇଛି । ମହିଳା ଭୋଟରଙ୍କ ପାଇଁ ଶକ୍ତିବନ୍ଦନ କାର୍ଯ୍ୟକ୍ରମ କରିବ ଦଳ ।

ଶକ୍ତିବନ୍ଦନ ଅଭିଯାନ
-ରାଜ୍ୟରେ ପଂଚାୟତ ସ୍ତରରେ ଲକ୍ଷେ ମହିଳାଙ୍କୁ ସମ୍ମାନିତ କରାଯିବ
-ମାର୍ଚ୍ଚ ୭ ତାରିଖରେ ଭର୍ଚୁଆଲ ଦ୍ୱାରା ମହିଳାଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ
-ଏସଏଚଜି, ସି.ଆର.ପି, ଏମବିକେ, ଆଶା, ଅଙ୍ଗନୱାଡି, ପାଚିକା, ଗୋ- ମିତ୍ର, ବ୍ୟାଙ୍କ ମିତ୍ର ସାମିଲ ହେବ
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ
-ରାଜ୍ୟର ୩ କୋଟି ୩୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧କୋଟି ୬୫ ଲକ୍ଷ ହେଉଛନ୍ତି ମହିଳା ଭୋଟର
-ଏହା ମୋଟ ଭୋଟରଙ୍କ ପ୍ରାୟ ୪୯%
-ମହିଳା ଭୋଟରଙ୍କ ସଂଖ୍ୟା ୪% ବଢିଛି

ଏହି ଭୋଟବ୍ୟାଙ୍କକୁ ଆଖିରେ ରଖି ବିଜେପି ରାଜ୍ୟର ମହିଳା ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ କସରତ ଆରମ୍ଭ କରିଛି । କିନ୍ତୁ ବିଜେଡି କହିଛି, ମହିଳାଙ୍କ ସାମଗ୍ରୀକ ବିକାଶ କେବଳ ବିଜେଡି ସରକାରରେ ହିଁ ହୋଇଛି । ମହିଳା ଭୋଟର ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବେ ।

ରାଜ୍ୟରେ ୭୦ ଲକ୍ଷ ଏସଏଚଜି ମହିଳା ବିଜେଡି ପାଇଁ ବଡ ଶକ୍ତି ପାଲଟିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମହିଳାଙ୍କ ୟୁନିଫର୍ମ ବାବଦରେ ହଜାରେ ଟଙ୍କା ଲେଖାଁଏ ଦେବାକୁ ଘୋଷଣା କରିଛନ୍ତି । ଏଭଳି ସ୍ଥଳେ ବିଜେପି ରଣନୀତି ବିଜେଡିର ମହିଳା ଗଡକୁ କେତେ ଭେଦିବ, ତାହା ନିର୍ବାଚନ ପରେ ହିଁ ଜଣାପଡିବ ।