କେବେ ସରିବ ଶ୍ରମିକଙ୍କ ଦୁଃଖ? ଟ୍ରକରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ଶ୍ରମିକ: ସେପଟେ ଘରକୁ ଫେରୁଥିବାବେଳେ କଂଟାବାଂଞ୍ଜିରେ ଟ୍ରେନର ଚେନପୁଲିଂ କରି ଖସିଗଲେ ୫୦ ଜଣ

159

କନକ ବ୍ୟୁରୋ: ଘରକୁ ଫେରୁଥିବାବେଳେ ପ୍ରବାସୀ ଶ୍ରମିକ ଘଟାଇଛନ୍ତି ଚେନ୍ ପୁଲିଂ ଘଟଣା । କଂଟାବାଂଞ୍ଜିରେ ଟ୍ରେନର ଚେନପୁଲିଂ କରି ବାଟରେ ଖସିଯିବାକୁ ଉଦ୍ୟମ କରିଥିଲେ ପ୍ରାୟ ୩୦୫ ଜଣ । ତେବେ ସେମାନଙ୍କ ମଧ୍ୟରୁ ଖସିଗଲେ ୫୦ ଜଣ । ସୁରଟରୁ ନିର୍ଗୁଣ୍ଡି ଆସୁଥିବା ଶ୍ରମିକ ସ୍ପେଶାଲ ଟ୍ରେନରେ ଦେଖିବାକୁ ମିଳିଛି ଏପରି ଘଟଣା । ସ୍ଥାନୀୟ ଲୋକେ ଏହା ଜାଣିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ପ୍ରବାସୀଙ୍କୁ ଅଟକାଇଥିଲା । ଏହି ଟ୍ରେନରେ ନୂଆପଡା ଜିଲ୍ଲାରୁ ୩୦୫, କଳାହାଣ୍ଡିର ୫ ଜଣ ଏବଂ ବଲାଙ୍ଗିରର ୧୭ ଜଣ ଶ୍ରମିକ ଆସୁଥିଲେ । ସମସ୍ତ ଶ୍ରମିକ ସୁରଟ ଫେରନ୍ତା । ଏମାନଙ୍କୁ ନିର୍ଗୁଣ୍ଡି ଷ୍ଟେସନରୁ ବସ୍ ଯୋଗେ ନିଜ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା ।

ସେପଟେ, ସରୁନି ପ୍ରବାସୀ ଶ୍ରମିକଙ୍କ ଦୁଃଖ । ବିପଦ ସଂକୁଳ ଅବସ୍ଥାରେ ଯାତ୍ରା । ଜୀବନକୁ ବାଜି ଲଗାଇ ଟ୍ରକରେ ଯାତ୍ରା କରୁଛନ୍ତି ପ୍ରବସୀ ଶ୍ରମିକ । ଟାଙ୍ଗି ନିକଟରେ ୧୬ ନଂବର ଜାତୀୟ ରାଜପଥରେ ଯାଉଥିବା ଏକ ଲରିରେ ଦେଖିବାକୁ ମିଳିଛି ଏପରି ଚିତ୍ର । ଏହି ପ୍ରବାସୀ ଶ୍ରମିକ ମାନେ ତାମିଲନାଡୁରୁ ଝାଡଖଣ୍ଡକୁ ଚାଲି ଚାଲି ଆସୁଥିଲେ । ପାଦ ବି ଥକି ଯାଇଥିଲା । ଏତିକି ବେଳେ ବାଟରେ ଦେଖିବାକୁ ପାଇଥିଲେ ଏହି ଲରିକୁ । ଡ୍ରାଇଭରକୁ ଗୁହାରି କରି ଲରିରେ ଚଢିଛନ୍ତି ୫୦ରୁ ଅଧିକ ଶ୍ରମିକ । କିଏ ଶୋଇଛି, କିଏ ବସିରହିଛି ଲରି ଉପରେ । କହିବାକୁ ଗଲେ ପୁରା ବିପଦ ସଂକୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି ସମସ୍ତେ । ଏକ ପ୍ରକାର ଜୀବନକୁ ବାଜି ଲଗାଇ ଏହି ପ୍ରବାସୀ ଶ୍ରମିକ ଯାତ୍ରା କରୁଛନ୍ତି ।