୨୩ ଫଳାଫଳ ପୂର୍ବରୁ ଭୋଟରଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ୍ । ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ, ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରକୁ ଦଖଲ କରିପାରେ ବିଜେପି ?

474

କନକ  ବ୍ୟୁରୋ: ୨୩ ଫଳାଫଳ ପୂର୍ବରୁ ଭୋଟରଙ୍କ ମୁଡ୍ ପରଖିଲା ସମ୍ବାଦ-କନକ ନ୍ୟୁଜ୍ । ସମ୍ବାଦ ଓ କନକ ନ୍ୟୁଜ୍ ତରଫରୁ ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ଆଧାରରେ ମୟୁରଭଞ୍ଜ ଲୋକସଭା ଆସନରେ ବିଜେଡିର ହ୍ୟାଟ୍ରିକ୍ ସ୍ୱପ୍ନକୁ ଦୂଳିସାତ୍ କରି ଏହି ଆସନକୁ ଦଖଲ କରିପାରେ ବିଜେପି । ବିଜେଡି ସାଂସଦ ପ୍ରାର୍ଥୀ ଦେବାଶିଷ ମାରାଣ୍ଡିଙ୍କୁ ଚେକ୍ ଦେଇ ପାରନ୍ତି ବିଜେପିର ବିଶେଶ୍ୱର ଟୁଡୁ ବୋଲି ସର୍ଭେ ରିପୋର୍ଟରୁ ଭୋଟରଙ୍କ ମୁଡ୍ କହୁଛି ।

ଏକଜିଟ୍ ପୋଲ୍ ରିପୋର୍ଟ ଅନୁସାରେ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୭ଟି ବିଧାନସଭା ଆସନରେ ବିଜେଡି ଲିଡ୍ କରିପାରେ । ଯେଉଁଥିରେ ୭ଟି ବିଧାନସଭା କ୍ଷେତ୍ରରୁ ବିଜେଡି ଖାତାକୁ ୫ଟି ଏବଂ ବିଜେପି ଖାତାକୁ ମାତ୍ର ଦୁଇଟି ବିଧାନସଭା ସିଟ୍ ଯାଇପାରେ ବୋଲି ରିପୋର୍ଟ କହୁଛି ।

ଏହି ରିପୋର୍ଟ ମୁତାବକ ଯଶୀପୁର ବିଧାନସଭା ଆସନରେ ବିଜେପି ଓ କଂଗ୍ରେସର ଆଶାକୁ ଧୂଳିସାତ୍ କରି ବିଜେଡି ପୁଣି ଯଶୀପୁରରେ ବିଜେଡି ଯଶ ରଖିପାରେ । ଆଉ ୧୯ ମହାଯୁଦ୍ଧରେ ବିଜୟ ବାନା ଉଡ଼ାଇପାରେ ବୋଲି ରିପୋର୍ଟ କହୁଛି ।

ଅନ୍ୟପଟେ ସାରସକଣା ବିଧାସାଭା କ୍ଷେତ୍ରରେ ବିଜେଡିକୁ ମାତ୍ ଦେଇ ବିଜେପି ଏଥର ପଦ୍ମ ଫୁଟାଇବାକୁ ସକ୍ଷମ ହୋଇପାରେ ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । କାରଣ ଏହି ନିର୍ବାଚନ ମଣ୍ଡଳୀରେ ଏଥର ତିନି ଦଳର ତିନିଜଣ ନୂଆ ଯୋଦ୍ଧାଙ୍କୁ ଭରସି ମୈଦାନକୁ ଓହ୍ଲାଇଛନ୍ତି ଦଳୀୟ ସୁପ୍ରିମୋ ।

ସେହିଭଳି ପ୍ରତିଥର ନେତା ବଦଳାଉଥିବା ରାଇରଙ୍ଗପୁରବାସୀ ଏଥର କିନ୍ତୁ ୨୦୧୪ର ଫଳାଫଳକୁ ରିପିଟ୍ କରିପାରନ୍ତି ଆଉ ବିଜେଡି ହାତରେ ପୁର୍ନବାର କ୍ଷମତା ଡ଼ୋରୀ ଦେଇ ପାରନ୍ତି ବୋଲି ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍ ରିପୋର୍ଟ କହୁଛି । ଅନ୍ୟପଟେ ଉଭୟ ବିଜେପି ଓ କଂଗ୍ରେସ ଦଳକୁ ଏଥର ଏହି ନିର୍ବାଚନ ମଣ୍ଡଳୀବାସୀ ପ୍ରତ୍ୟାଖାନ କରିପାରନ୍ତି ବୋଲି ଭୋଟରଙ୍କ ମୁଡ୍ ଆଉ ରିପୋର୍ଟ କହୁଛି ।

ଅପରପକ୍ଷେ ଉଦଳା ଆସନ ଉପରେ ଉଭୟ ବିଜେପି ଓ ବିଜେଡିର ଆଖି ରହିଥିବାବେଳେ ଏଥର ହ୍ୟାଟ୍ରିକ୍ ମାରିନେଇପାରେ ବିଜେଡି ବୋଲି ରିପୋର୍ଟ କହୁଛି । ସମ୍ବାଦ-କନକ ନ୍ୟୁଜ୍ ତରଫରୁ ହୋଇଥିବା ସବୁଠାରୁ ବଡ଼ ଏକଜିଟ୍ ସର୍ଭେ ଅନୁସାରେ ଉଦଳାରେ ହ୍ୟାଟ୍ରିକ୍ ମାରିପାରେ ବିଜେଡି ।

ସେହିପରି ଏହି ସସଂଦୀୟ କ୍ଷେତ୍ର ଅଧିନରେ ଥିବା ବାରିପଦା ବିଧାନସଭା ଆସନରେ ଏଥର ପୁଣି କମାଲ କରିପାରେ ବିଜେଡି । ଗତ ୪ଟି ନିର୍ବାଚନରେ ଏଠାରେ ଖାତା ଖୋଲି ପାରି ନଥିବା ବିଜେପି-କଂଗ୍ରେସ ଏଥର ମଧ୍ୟ ବାରିପଦାରେ ମନଉଣା କରି ଫେରିପାରନ୍ତି ବୋଲି ଏକଜିଟ୍ ପୋଲ୍ ରିପୋର୍ଟ କହୁଛି ।

ଚଳିତ ନିର୍ବାଚନରେ ନୂଆ ମୋଡ଼ ନେଇଥିବା ମୋରଡ଼ା ବିଧାନସଭା କ୍ଷେତ୍ରରେ ଏଥର କିନ୍ତୁ ରାଜନୀତି ପାଣିପାଗ ବଦଳିଯାଇପାରେ ବୋଲି ରିପୋର୍ଟ କହୁଛି । କାରଣ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ରାଜ କିଶୋର ଦାସଙ୍କୁ ପରାଜୟର ଦ୍ୱାର ଦେଖିବାକୁ ପଡ଼ିପାରେ । ଆଉ ବିଜେଡି ଦୁର୍ଗକୁ ଧସେଇ ପସିପାରେ ବିଜେପି ବୋଲି ଏକଜିଟ୍ ପୋଲ ରିପୋର୍ଟ କହୁଛି ।