ଆସିଲା ବୁଥ୍ ବାହୁଡା ମତ । ହିମାଚଳରେ ପୁଣି ହେବ କି ବିଜେପି ସରକାର? ପଦ୍ମକୁ କଡା ଟକ୍କର ଦେଉଛି ହାତ ।

176

କନକ ବ୍ୟୁରୋ: ଆସିଲା ବୁଥ ବାହୁଡା ମତ । ଏକଜିଟ୍ ପୋଲ ସର୍ଭେ ଅନୁସାରେ ହିମାଚଳ ପ୍ରଦେଶରେ ପୁଣିଥରେ ସରକାର ଗଢିପାରେ ଭାରତୀୟ ଜନତା ପାର୍ଟି । ତେବେ ଏଥର ନିର୍ବାଚନରେ କିନ୍ତୁ ବିଜେପିକୁ କଡା ଟକ୍କର ଦେଇଛି କଂଗ୍ରେସ । ବିଭିନ୍ନ ଏକଜିଟ ପୋଲର ରିପୋର୍ଟ ମୁତାବକ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢିବାକୁ ଯାଉଥିବାବେଳେ, କଂଗ୍ରେସ ବିଜେପିକୁ କଡା ଟକ୍କର ଦେଉଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ ଆପ୍ ଲୋକଙ୍କ ଆସ୍ଥା ଭାଜନ ହେବାରେ ପଛରେ ପଡିଛି ।

ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ ଆକଳନ ମୁତାବକ ଏଥର ହିମାଚଳରେ ବିଜେପିକୁ ୨୪ରୁ ୩୪ଟି ସିଟ୍ ଯାଇପାରେ । ସେହିପରି କଂଗ୍ରେସ ଖାତାକୁ ୩୦ରୁ ୪୦ଟି ଯାଇପାରେ । ତେବେ ଆପକୁ ହିମାଚଳ ପ୍ରଦେଶରେ ସେତେଟା ଫାଇଦା ମିଳିନାହିଁ । ହିମାଚଳ ପ୍ରଦେଶରେ ଅନ୍ୟମାନେ ୪ରୁ ୮ଟି ସିଟ୍ ଜିତିପାରନ୍ତି ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଆକଳନ କରିଛି ।

ଲୋକପ୍ରିୟ ଟାଇମ୍ସ ନାଓ ଏକଜିଟ୍ ପୋଲର ସର୍ଭେ ମୁତାବକ ହିମାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ୩୪ରୁ ୪୨ଟି ମଧ୍ୟରେ ସିଟ୍ ମିଳିପାରେ । ସେହିପରି କଂଗ୍ରେସକୁ ୨୪ରୁ ୩୨ଟି ମଧ୍ୟରେ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ଆମ୍ ଆଦମୀ ପାର୍ଟି ହିମାଚଳରେ ଗୋଟିଏ ବି ସିଟ୍ ଜିତିପାରିବନି ବୋଲି ଟାଇମ୍ସ ନାଓ ଏକଜିଟ୍ ପୋଲରେ କୁହାଯାଇଛି ।

ସେହିପରି ଜାତୀୟ ଗଣମାଧ୍ୟମ ଜୀ-ନ୍ୟୁଜର ଏକଜିଟ୍ ପୋଲରେ ମଧ୍ୟ ଏଥର ହିମାଚଳ ପ୍ରଦେଶରେ ପୁଣିଥରେ ବିଜେପି ରାଜ୍ ହେବ ବୋଲି ଆକଳନ କରାଯାଇଛି । ମୋଟ ୬୮ଟି ସିଟ୍ ଭିତରୁ ବିଜେପି ଖାତାକୁ  ୩୦ରୁ ୪୦ଟି ସିଟ୍ ଯାଇପାରେ । ଅନ୍ୟପଟେ କଂଗ୍ରେସ ଖାତାକୁ ୨୦ରୁ ୨୫ଟି ଏବଂ ଅନ୍ୟ ଖାତାକୁ ୧ରୁ ୫ଟି ସିଟ୍ ଯାଇପାରେ ବୋଲି ଆକଳନ କରିଛି ଜୀ-ନ୍ୟୁଜ୍ ।

ସେପଟେ ରିପବ୍ଲିକ୍ ଟିଭିର ଏକଜିଟ୍ ପୋଲରେ ବିଜେପି ଖାତାକୁ ୩୪ରୁ ୩୯ଟି ସିଟ୍ ଯାଇପାରେ ବୋଲି ଆକଳନ ପ୍ରକାଶ ପାଇଛି । ଅନ୍ୟପଟେ ହିମାଚଳରେ କଂଗ୍ରେସ ହାତକୁ ୨୮ରୁ ୩୩ଟି ସିଟ୍ ଯାଇପାରେ ଏବଂ ଆପ୍ ଖାତାକୁ ଶୂନ କିମ୍ବା ଅତି କମରେ ଗୋଟିଏ ସିଟ୍ ଯାଇପାରେ ବୋଲି ଆକଳନ କରିଛି ରିପବ୍ଲିକ୍ ଟିଭି । ତେବେ ଯଦି ଏହି ଆକଳନ ସତ ହୁଏ ତେବେ, ହିମାଚଳ ପ୍ରଦେଶରେ ପରମ୍ପରା ଭାଙ୍ଗିବା ସହିତ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିବ ।

ନ୍ୟୁଜ୍ ଏକ୍ସର ଏକଜିଟ୍ ପୋଲ ରିପୋର୍ଟ ମୁତାବକ, ଏଥର ହିମାଚଳରେ ବିଜେପି ୩୨ରୁ ୪୦ଟି ସିଟରେ ବିଧାୟକ ପଦ ଜିତିପାରେ । ସେହିପରି କଂଗ୍ରେସ ହିମାଚଳରେ ୨୭ରୁ ୩୪ଟି ଆସନରେ ବିଜୟ ହାସଲ କରିପାରେ ବୋଲି ନ୍ୟୁଜ୍-ଏକ୍ସ ଆକଳନ କରିଛି ।