ଗୁଜରାଟ ଓ ହିମାଚଳ ପ୍ରଦେଶରେ ଝଡିବ ପଦ୍ମ ନା ଉଠିବ ହାତ । ଜାଣନ୍ତୁ ଏକଜିଟ୍ ପୋଲ ଦେଲା କଣ ସଂକେତ?

196

କନକ ବ୍ୟୁରୋ : କିଏ ଜିତିବ ଗୁଜରାଟ, ହିମାଚଳ ପ୍ରଦେଶରେ କିଏ ଗଢ଼ିବ ସରକାର । ଏପଟେ ପଦ୍ମପୁର ଉପନିର୍ବାଚନରେ କାହାର ପଲା ଭାରି । ଏହା ଉପରେ ରହିଛି ନେତାଠୁଁ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ନଜର । କୁହାଯାଉଛି, ଏହି ନିର୍ବାଚନ ଦେଶର ରାଜନୈତିକ ଭବିଷ୍ୟତ । ରାଜ୍ୟର ରାଜନୈତିକ ମୁଡ୍ ଦର୍ଶାଇବ ପଦ୍ମପୁର । ଏହାରି ଭିତରେ ଇଭିଏମରେ ସିଲ୍ ହୋଇଛି ଜନମତ । ଆଉ ମତଦାନ ଶେଷ ହେବା ପରେ ଆରମ୍ଭ ହୋଇଛି ଆକଳନ । ସାମନାକୁ ଆସୁଛି ଏକଜିଟ ପୋଲ୍ ବା ବୁଥ ବାହୁଡ଼ା ମତ । ଅର୍ଥାତ ଭୋଟ ଦେଇ ଆସିବା ପରେ ଭୋଟରଙ୍କ ମତ କ’ଣ ରହିଛି । ଯଦିଓ ଏକଜିଟ୍ ପୋଲ୍ ଓ ଏକଜାଟ୍ ପୋଲ୍ ମଧ୍ୟରେ ବଡ଼ ଫରକ ରହିଛି । ତଥାପି ଏକ୍ଜିଟ୍ ପୋଲ୍ ଉପରେ ସମସ୍ତଙ୍କ କୌତୁହଳ ଅଟକି ରହିଛି । ଗୋଟିଏ ପରେ ଗୋଟିଏ ଜାତୀୟ ଗଣମାଧ୍ୟମରେ ଏକଜିଟ୍ ପୋଲର ରିପୋର୍ଟ ଆସିବାରେ ଲାଗିିଛି ।

ଗୁଜରାଟ ନିର୍ବାଚନ ଉପରେ ପୂରା ଦେଶର ନଜର ଅଟକି ରହିଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିଜ ରାଜ୍ୟ । ଗୁଜରାଟ ନିର୍ବାଚନ ସହ ଯୋଡି ହୋଇ ରହିିଛି ମୋଦୀ ଓ ଶାହାଙ୍କ ସମ୍ମାନ । କେବଳ ସେତିକି ନୁହେଁ, ଗୁଜରାଟର ଫଳାଫଳ, ପୂରା ଦେଶ ଉପରେ ପ୍ରଭାବ ପକାଇବ । ୨୭ ବର୍ଷ ଧରି ଗୁଜରାଟରେ ବିଜେପିର ରାଜ ଚାଲିଛି । ପୁଣି ଏହି ଧାରା ଆଗକୁ ଜାରି ରହିବ ବୋଲି ଦର୍ଶାଇଛି ଏକଜିଟ୍ ପୋଲ । ମୋଟ ବିଧାନସଭା ଆସନ ସଂଖ୍ୟା – ୧୮୨ । ଦୁଇଟି ପର୍ଯ୍ୟାୟରେ ଏଠି ଭୋଟିଂ ହୋଇଛି । ତେବେ ଅଧିକାଂଶ ଜାତୀୟ ଗଣମାଧ୍ୟମ ଏକଜିଟ୍ ପୋଲ ରିପୋର୍ଟରେ ବିଜେପି ପୁଣିଥରେ ସରକାର ଗଢିବ ବୋଲି ଆକଳନ କରାଯାଇଛି ।ଯଦି ଏକଜିଟ୍ ପୋଲ ସତ ହୁଏ ତେବେ ଆପ ଓ କଂଗ୍ରେସକୁ ଗୁଜରାଟରେ ବଡ ଝଟକା ଲାଗିପାରେ । ଗତ ନିର୍ବାଚନରେ ଅଳ୍ପକେ ସରକାର ଗଢିବାରୁ ବଞ୍ଚିତ ହୋଇଥିଲା କଂଗ୍ରେସ । ସେହିଭଳି ଚଳିତଥର ଗୁଜରାଟରେ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖିଛି ଆପ୍ । କିନ୍ତୁ ଏସବୁ ଭିତରେ ଏକଜିଟ୍ ପୋଲ ଭିନ୍ନ ସଂକେତ ଦେଇଛି । ତେଣୁ ଆସନ୍ତା ୮ ତାରିଖରେ ଗୁଜରାଟ ଭୋଟର କାହାକୁ ଭରସା କରିଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିବ ।

ହିମାଚଳ ପ୍ରଦେଶରେ ବିଜେପିର ସରକାର ଚାଲିଛି । ବିଧାନସଭାର ଆସନ ସଂଖ୍ୟା ରହିଛି ୬୮ । ୧୯୮୫ ମସିହା ଠାରୁ ଏପର୍ଯ୍ୟନ୍ତ ଥରେ କଂଗ୍ରେସ ସରକାର ଗଢ଼ିଲେ, ଆର ଥରକୁ ବିଜେପି ସରକାର ଗଢ଼ି ଆସୁଛି । କିନ୍ତୁ ଚଳିତଥର ଏକଜିଟ୍ ପୋଲ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କାରଣ ଚଳିତଥର ହିମାଚଳପ୍ରଦେଶର ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଆକଳନ କରାଯାଇଛି । ଯଦି ବିଜେପି ବିଜୟୀ ହୁଏ ତେବେ ପୁରୁଣା ପରମ୍ପରାରେ ବ୍ରେକ ଲାଗିବ କିନ୍ତୁ ଯଦି କଂଗ୍ରେସ ବିଜୟ ଟୀକା ପିନେ୍ଧ ତେବେ ପୂର୍ବ ପରମ୍ପରା ବଜାୟ ରହିବ । ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିବ ନାହିଁ । କାରଣ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନର ସାକ୍ଷୀ ରହିଛି ହିମାଚଳ ପ୍ରଦେଶ ।