ଏମିତି ବି ଆସେ ମୃତ୍ୟୁ…ଚାଲି ଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଫେରୁଥିଲେ ଶ୍ରମିକ, ଟ୍ରାକରେ ଶୋଇପଡିଥିବା ବେଳେ ମାଡ଼ିଗଲା ଲୌହଦାନବ, ମହାରାଷ୍ଟ୍ର ଔରଙ୍ଗାବାଦରେ ୧୬ ମୃତ, ଜଣେ ଗୁରୁତର ।

5,233

କନକ ବ୍ୟୁରୋ: ମହାରାଷ୍ଟ୍ରର ମର୍ମନ୍ତୁଦ ଘଟଣା ମନକୁ ଆସିଲେ, ଆପଣ ଛାଏଁ ଆଖି ଆଗକୁ ଚାଲି ଆସୁଛି ଏମିତି କିଛି ଦୃଶ୍ୟ । ରେଳ ଧାରଣା ଉପରେ ଚାଲୁଛନ୍ତି ଶ୍ରମିକ । ରୋଜଗାର ପାଇଁ ଭିଟାମାଟି ଛାଡି ଅନ୍ୟତ୍ର ରହୁଥିବା ଶ୍ରମିକମାନେ ଏବେ କାମଧନ୍ଦା ହରାଇବା ପରେ ବାଧ୍ୟ ହୋଇ ଘରମୁହାଁ ହେଉଛନ୍ତି । ଆଉ ଘରକୁ ଫେରିବା ପାଇଁ ଏମାନେ ବାଛି ନେଇଛନ୍ତି ରେଳ ଧାରଣାର ରାସ୍ତା । ଦୁଇ ଦିନ ତଳେ ଆଠଗଡ଼ରୁ ଆସିଥିଲା କିଛି ଏହିଭଳି ଚିତ୍ର । ଆଠଗଡରୁ ରେଳ ଧାରଣା ଉପରେ ଚାଲିଚାଲି ଶ୍ରମିକମାନେ ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ଅଭିମୁଖେ ଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।

ପ୍ରାୟ ୨୬ଜଣ ଶ୍ରମିକ ତାଳଚେର ଦେଇ ବାହାରିଥିବା ବେଳେ ସେମାନଙ୍କୁ ଗୁରୁଡିଝା ରେଳ ଷ୍ଟେସନ୍ ନିକଟରେ ଏହି ଶ୍ରମିକମାନଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ରାସ୍ତା ଜାଣିନଥିବାରୁ ବାଧ୍ୟ ହୋଇ, ରେଳ ଧାରଣା ଉପରେ ଚାଲି ଚାଲି ଯାଉଥିଲେ ଏହି ଶ୍ରମିକମାନେ ।

କିଛି ଦିନ ତଳେ କେଉଁଝର ହରିହାସପୁରରେ କାମ କରୁଥିବା ପ୍ରାୟ ୧୫ରୁ ୨୦ ଜଣ ଶ୍ରମିକ ଟ୍ରେନ୍ ଲାଇନ୍ରେ ଚାଲି ଚାଲି କୋରାପୁଟ ଯାଉଥିବାର ଚିତ୍ର କଏଦ୍ କରିଥିଲା କନକ ନ୍ୟୁଜ୍ । ରାସ୍ତା ଜାଣିନଥିବାରୁ ଟ୍ରେନ୍ ଲାଇନ କଡ଼େ କଡେ ପ୍ରାୟ ୧୭୫ କିଲୋମିଟର ବାଟ ଚାଲି ଭୁବନେଶ୍ୱର ପଟିଆ ଷ୍ଟେସନ୍ରେ ପହଁଚିଥିବା ବେଳେ ଏହି ଶ୍ରମିକମାନଙ୍କୁ ଭେଟିଥିଲେ ଆମ ପ୍ରତିନିଧି । ଏମିତି ଅନେକ ଦୃଶ୍ୟ ବାରମ୍ବାର ସାମ୍ନାକୁ ଆସୁଛି । କିନ୍ତୁ ଯାତାୟତ ପାଇଁ ରେଳ ଧାରଣାକୁ ବାଛି ନେବା କେତେ ବଡ଼ ବିପଦ ହୋଇପାରେ, ତାହା ମହାରାଷ୍ଟ୍ର ଔରଙ୍ଗାବାଦ ଦୁଘଟଣାରୁ ସ୍ପଷ୍ଟ ହୋଇଛି ।