କନକ ବ୍ୟୁରୋ: କିରାଣୀଙ୍କ ପରେ ଏବେ ଆନ୍ଦୋଳନରେ ପଂଚାୟତ ନିର୍ବାହୀ ଅଧିକାରୀ । ଗତ ୨ ସପ୍ତାହ ଧରି ପିଇଓମାନେ କଲମ ଓ ଦଫତର ଛାଡି ଆନ୍ଦୋଳନ କରୁଥିବା ବେଳେ ପଂଚାୟତ ସ୍ତରରେ ସରକାରୀ ବ୍ୟବସ୍ଥା ଏକ ପ୍ରକାର ଠପ୍ ହେବାକୁ ବସିଲାଣି । ବିଶେଷ କରି ସାଧାରଣ ବଂଟନ ଠାରୁ ଆରମ୍ଭ କରି ଭତା, ଆବାସ, ମନରେଗା ପରି ୨୫ରୁ ଅଧିକ ଯୋଜନା ପଂଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଛି । ଏହିସବୁ ଯୋଜନା କାର୍ଯ୍ୟକାରୀ କରିବାରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଗୁରୁତ୍ୱପୁର୍ଣ ଭୁମିକା ରହିଛି । ତେବେ ପିଇଓମାନେ ଆନ୍ଦୋଳନ କରୁଥିବାରୁ କିଏ ଭତା ଟଙ୍କା ନପାଇ ଫେରୁଛନ୍ତି ତ ଆଉ କିଏ ଆବାସ ଟଙ୍କା ପାଇ ପାରୁନାହାନ୍ତି ।

Advertisment

ଗତ ୨ ସପ୍ତାହ ଧରି ରାଜ୍ୟର ସମସ୍ତ ପଂଚାୟତ ନିର୍ବାହୀ ଅଧିକାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଫଳରେ ପଂଚାୟତ ସ୍ତରରେ ସରକାରୀ ବ୍ୟବସ୍ଥା ଠପ୍ ହେବାକୁ ବସିଲାଣି । ପିଇଓଙ୍କ ଆନ୍ଦୋଳନ ଯୋଗୁ ସମସ୍ୟା ଭୋଗୁଛନ୍ତି ହିତାଧିକାରୀ । ମାଲକାନଗିରିରେ ଜୁଲାଇ ଠାରୁ ସେପ୍ଟେମ୍ବର ମାସର ଚାଉଳ ପାଇନଥିବା ହିତାଧାକାରୀ ହଟହଟା ହେଉଛନ୍ତି । ସେହିପରି ଅଗଷ୍ଟ ୧୫ ପୂର୍ବରୁ ଭତ୍ତା ନେଇନଥିବା ହିତାଧିକାରୀ ଚଳିତ ମାସର ଭତ୍ତା ଟଙ୍କା ପାଇଁ ପଂଚାୟତ ଅଫିସକୁ ଆସି ନିରାଶରେ ଫେରୁଛନ୍ତି ।

ମାଲକାନଗିରି ତମସା ପଂଚାୟତର ହିତାଧିକାରୀ ଉଙ୍ଗା ପଡିଆମୀ ତାଙ୍କ ସ୍ତ୍ରୀ ବିରେ ପଡିଆଙ୍କ ନାଁରେ ଗୋଟିଏ ଆବାସ ଗୃହ ପାଇଛନ୍ତି । ଘର ବାବଦକୁ ତାଙ୍କ ଆକାଉଂଟକୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଆସିଛି । ହେଲେ ପିଇଓଙ୍କ ଆନ୍ଦୋଳନ ଯୋଗୁଁ ଟଙ୍କା ଉଠାଇ ପାରୁ ନାହାନ୍ତି ଉଙ୍ଗା । ସେହିପରି ଏମଭି -୭ ଗାଁର ଦିବ୍ୟାଙ୍ଗ ମୀନତି ବିଶ୍ୱାସ । ଦିବ୍ୟାଙ୍ଗ ପ୍ରମାଣପତ୍ର ଧରି ଭତା ଆଶାରେ ପଂଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି । ପିଇଓଙ୍କ ଅନୁପସ୍ଥିତି ଯୋଗୁ ତାଙ୍କୁ ଦିବ୍ୟାଙ୍ଗ ଭତା ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରୁନାହିଁ ।

ଶିକ୍ଷାଗତ ଯୋଗ୍ୟତା ବୃଦ୍ଧି, ଗ୍ରେଡ-ପେ ବୃଦ୍ଧି ଓ ପଦୋନ୍ନତି ବ୍ୟବସ୍ଥା ଲାଗୁ କରିବାକୁ ଦାବି କରି ଗତ ୧୮ ତାରିଖ ଠାରୁ ଧାରଣା ଦେଇଛନ୍ତି ପିଇଓ । ରାଜ୍ୟ ବ୍ୟାପି ଆନ୍ଦୋଳନ ଜାରି ରଖିଛନ୍ତି ନିଖିଳ ଉକ୍ରଳ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ । ତେବେ ମାଲକାନଗିରି ଜିଲ୍ଲାର ସମସ୍ତ ୧୧୧ଟି ଗ୍ରାମ ପଂଚାୟତର ସରପଂଚମାନେ ପିଇଓଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।