ସହରକୁ ମାଡି ଆସିଲାଣି ସବୁଜ ଜହର । ନାଁକୁ ଚାଲିଛି ଧରପଗଡ଼, ପ୍ରଶାସନକୁ ଖାତିର ନକରି ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ କରୁଛନ୍ତି ଆଦିବାସୀ ଚାଷୀ ।

523

କନକ ବ୍ୟୁରୋ : ରାଜ୍ୟରେ ବେଧଡକ ଭାବେ ବଢି ଚାଲିଛି ବେଆଇନ ଗଂଜେଇ ଚାଷ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରୁ ଆରମ୍ଭ ହୋଇ ଏବେ ସବୁଜ ବିପ୍ଲବ ପରି ରାଜ୍ୟର ଅନେକ ଜିଲ୍ଲାକୁ ବ୍ୟାପି ଯାଇଛି ଗଂଜେଇ ଚାଷ । ମାଲକାନଗିରି ଜିଲ୍ଲା ସଦର ମହକୁମା ଆଖ ପାଖ ଅଞ୍ଚଳରେ ମଧ୍ୟ ପୁଲିସ ଓ ପ୍ରଶାସନର ନାକ ତଳେ ଚାଲିଛି ହେକ୍ଟର ହେକ୍ଟର ସବୁଜ ଜହର ଚାଷ । ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଏହି ସବୁ ଗଂଜେଇ ଚାଷକୁ ନଷ୍ଟ କରାଯାଉଛି ସତ । ତେବେ ଆବଶ୍ୟକୀୟ ଭିତ୍ତିଭୁମି ନଥିବାରୁ ତାହା ସମୁଦ୍ରକୁ ଶଙ୍ଖେ ମାତ୍ର ।

ସହରକୁ ମାଡି ଆସିଲାଣି ସବୁଜ ଜହର । ନାଁକୁ ଚାଲିଛି ଧରପଗଡ଼ । ସବୁଜ ଜହର ବଳୟରେ ମାଲକାନଗିରି । ପ୍ରଶାସନର ନାକ ତଳେ ଗଂଜେଇ ଚାଷ । ଅପହଞ୍ଚ ଇଲାକା ନୁହେଁ ବରଂ ମାଲକାନଗିରି ସଦର ବ୍ଲକରେ ହୋଇଛି ଗଂଜେଇ ଚାଷ । ଏହି ଘଟଣା ହେଉଛି, ମାଲକାନଗିରି ଜିଲ୍ଲା ସଦର ବ୍ଲକ ଠାରୁ ୨୫ କିଲୋମିଟର ଦୂର ବାପନପାଲି ଗାଁର । ଗାଁ ମୁଣ୍ଡ ପାହାଡର ପାଦ ଦେଶରେ ଶହ ଶହ ହେକ୍ଟର ଜମିରେ ଗଂଜେଇ ଚାଷ କରିଛନ୍ତି ଚାଷୀ । ଧାନ ଓ ମାଣ୍ଡିଆ ଚାଷ କାଁ ଭାଁ ଦେଖାଯାଉଥିବା ବେଳେ ଚାରି ଆଡେ ଗଂଜେଇ ଗଛର ସବୁଜିମା ।

ପୂର୍ବରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ସର୍ବାଧିକ ଗଂଜେଇ ଚାଷ ହେବା ନଜିର ରହିଛି । ହେଲେ ଏବେ ଏହି ସବୁଜ ଜହର ଚାଷ ଓ କାରବାର ସାରା ଜିଲ୍ଲାକୁ କାବୁ କରିବାକୁ ବସିଛି । ମାଲକାନଗିରି ସହର ନିକଟ ବାପନପାଲି ଗାଁରେ ବ୍ୟାପକ ଗଂଜେଇ ଚାଷ ହୋଇଥିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ଅବକାରୀ ବିଭାଗ ଟିମ୍ । ଆଉ ଗାଁ ମୁଣ୍ଡରେ ୩୬ ଏକର ଜଙ୍ଗଲ ଜମିରେ ଲାଗି ଥିବା ପ୍ରାୟ ୫୪ ହଜାର ଗଂଜେଇ ଗଛକୁ ନଷ୍ଟ କରିଛି ଅବକାରୀ ବିଭାଗ । ଯାହାର ଅନୁମାନିକ ମୂଲ୍ୟ ୫କୋଟି ଟଙ୍କା ହବ ବୋଲି ଜଣାପଡିଛି ।

ନାଁକୁ ଗଂଜେଇ ସଫେଇ ଅଭିଯାନ । ପ୍ରଶାସନ କାଟୁଛି, ଚାଷୀ ଲଗାଉଛି । ସଦର ବ୍ଲକ ଅନ୍ତର୍ଗତ ବାପାନପାଲି, ପାଣ୍ଡ୍ରିପାଣି, ଗୋଙ୍ଗଲା, ପଦ୍ମଗିରି ଓ ଏହାର ଆଖପାଖ ଅଂଚଳରେ ହେକ୍ଟର ହେକ୍ଟର ଜମିରେ ଗଂଜେଇ ଗଛ ଲାଗିଛି । ଏନେଇ ବନବିଭାଗ ପାଖରେ ଖବର ଥାଇ ବି କମ୍ କର୍ମଚାରୀ ଓ ଆବଶ୍ୟକୀୟ ଭିତିଭୁମି ଅଭାବରୁ ସବୁଜ ଜହର ଚାଷ ରୋକିପାରୁନି ପ୍ରଶାସନ । ହାତ ହତିଆର ନଥିବାରୁ ସମ୍ବେଦନଶୀଳ ଅଂଚଳରେ ଗଂଜେଇ ସଫେଇ ଅଭିଯାନ ସଫଳ ହୋଇପାରୁ ନାହିଁ ବୋଲି କହିଛନ୍ତି ମାଲକାନଗିରି ଅବକାରୀ ଅଧୀକ୍ଷକ । ଗଂଜେଇ ଚାଷ ଛାଡି ପାରମ୍ପରିକ ଫସଲ ଚାଷ କରିବା ପାଇଁ ଆଦିବାସୀଙ୍କୁ ସଚେତନ କରାଇବାର ଆବଶ୍ୟକତା ଥିବା କହିଛନ୍ତି ମାଲକାନଗିରି ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀ ।

ଗଂଜେଇ ଚାଷ ଓ ଚୋରା ଚାଲାଣ ରୋକିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି ।

୧. ଗତ ୨ବର୍ଷରେ ମାଲକାନଗିରି ପୁଲିସ ୩୦ ଟନ୍ ଗଂଜେଇ ଜବତ କରିଛି ।
୨. ୧୫୦ରୁ ଅଧିକ ଅଭିଯୁକ୍ତ ବନ୍ଧା ହୋଇଛନ୍ତି ।
୩. ଚଳିତ ବର୍ଷ ୨୨ ଟନ୍ ଗଂଜେଇ ଜବତ ହୋଇଥିବା ବେଳେ ୧୦୦ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
୪. ଗଂଜେଇ ଚୋରା ଚାଲାଣରେ ବ୍ୟବହୃତ ୮୦ରୁ ଅଧିକ ଯାନବାହନ ଜବତ ହୋଇଛି ।
୫. ୨୦୧୮ ମସିହାରେ ଅବକାରୀ ବିଭାଗ ପକ୍ଷରୁ ୧୦୮୦ ଏକର ଜମିରେ ଗଂଜେଇ ଚାଷ ନଷ୍ଟ କରାଯାଇଛି ।
୬. ଯାହାର ଆନୁମାନିକ ମୂଲ୍ୟ ୧୫୦ କୋଟି ।
୭. ଚଳିତ ବର୍ଷ ୧୦୦ ଏକର ଗଂଜେଇ ଚାଷ ନଷ୍ଟ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୭ କୋଟି ଟଙ୍କା ।
ତଥାପି କିନ୍ତୁ ଥମୁନାହିଁ ଗଂଜେଇ ଚାଷ ଓ ଚୋରା ଚାଲାଣ କାରବାର ।