ସାମ୍ନାକୁ ଆସିଲା ହତ୍ୟା ସମୟର ଚିତ୍ର: ଫଟୋ ବଖାଣିଲା ସେଦିନର ବିଭତ୍ସ କାହାଣୀ…ରାସ୍ତା ଉପରେ ମୁହଁ ମାଡି ପଡିଥିଲେ କଳ୍ପନା ଓ ତାଙ୍କ ଝିଅ ବବଲି

ହତ୍ୟାକାଣ୍ଡ ପରେ ଉଭୟଙ୍କ ମୁଣ୍ଡ ଉପରେ ଗାଡି ଚଢା ଯାଇଥିବା କହିଥିଲା ପୋଲିସ

3,033

କନକ ବ୍ୟୁରୋ: ଏସବୁ ଭିତରେ ଆସିଛି କଳ୍ପନା ଦାସ ଏବଂ ତାଙ୍କ ମୃତଦେହର ଫଟୋ । ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ମୁହଁ ମାଡି ପଡିଛି ଦୁଇଟି ମୃତଦେହ । ମୃତଦେହର ଫଟୋକୁ ଦେଖିଲେ ଚିହ୍ନିବା କଷ୍ଟକର ହୋଇପଡୁଛି । କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ ଜେଲ ହାଜତରେ ଅଛନ୍ତି ଅନୁପ ସାଏ । ସେପଟେ ତାଙ୍କ ଡ୍ରାଇଭରକୁ ନେଇ ହତ୍ୟାକାଣ୍ଡର ଡମୋ କରିଛି ଛତିଶଗଡ ରାୟଗଡ ପୋଲିସ । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପରେପରେ ଘଟଣାସ୍ଥଳର କିଛି ଫଟୋ । ଝାରସୁଗୁଡା ସୀମାନ୍ତ ଛତିଶଗଡର ଚକ୍ରଧରନଗର ଥାନା ହମିରପୁର ରାସ୍ତା ମା ସାକମ୍ବରୀ ପ୍ଲାଂଟ ନିକଟରେ କିଛି ଏହିଭଳି ପଡି ରହିଥିଲା ଦୁଇଟି ମୃତଦେହ ।

ଗୋଟିଏ ୩୨ ବର୍ଷୀୟ କଳ୍ପନା ଦାସଙ୍କର ହୋଇଥିବାବେଳେ ଅନ୍ୟଟି ୧୪ ବର୍ଷର ଝିଅ ବବଲି ଶ୍ରୀବାସ୍ତବଙ୍କର । ହତ୍ୟାକାଣ୍ଡରେ ଅନୁପ ସାଏଙ୍କ ସଂପୃକ୍ତିର ପ୍ରମାଣ ସହ ସାମ୍ବାଦିକ ସମ୍ମିଳନୀ କଲାବେଳେ ଛତିଶଗଡ ପୋଲିସ କହିଥିଲା, ଏମାନଙ୍କୁ ଲୁହା ରଡରେ ପିଟି ହତ୍ୟା କରିଥିଲେ ନିଜେ ଅନୁପ । ଏପରିକି ପରିଚୟ ଲୁଚାଇବାକୁ ମୃତକଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିଲା । ରାସ୍ତା ଉପରେ ପଡିରହିଥିବା ଫଟୋ ଦୁଇଟିକୁ ଦେଖିଲେ ଜଣାପଡୁଛି, ଶରୀର ଅକ୍ଷତ ରହିଛି କିନ୍ତୁ ମୁଣ୍ଡ ଉପରେ ଚଢାଇ ଦିଆଯାଇଛି ଗାଡି । ପ୍ରଥମେ କଳ୍ପନା ଦାସଙ୍କ ମୃତଦେହ ଉପରେ ନଜର ପକାନ୍ତୁ । ଶାଢୀ ପିନ୍ଧିଥିବା କଳ୍ପନା ଦାସଙ୍କ ହାତ, ଗୋଡ କିମ୍ବା ଶରୀରରେ ଗାଡି ଚଢିଥିବା ପରି ମନେ ହେଉନାହିଁ । ଅର୍ଥାତ ଲୁହା ରଡରେ ପିଟି ହତ୍ୟା କରିବା ପରେ କେବଳ ମୁହଁକୁ ନଷ୍ଟ କରିଦେବା ପାଇଁ ଅନୁପଙ୍କ ଇସାରାରେ ବୋଲେରୋ ଗାଡି ଚଢାଇ ଦେଇଥିଲେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ । ଡ୍ରାଇଭରଙ୍କୁ ନେଇ ଘଟଣାସ୍ଥଳରେ ପୋଲିସ ଡେମୋ କଲାବେଳେ ହତ୍ୟାକାଣ୍ଡରେ ଏକ ଇନୋଭା ଗାଡି ବ୍ୟବହାର ହୋଇଥିବା ମଧ୍ୟ ଜଣାପଡିଛି ।

ମାଆ କଳ୍ପନାଙ୍କ ମୃତଦେହଠାରୁ ଅଳ୍ପ ଦୂରରେ ରହିଛି ଝିଅ ବବଲି ଶ୍ରୀବାସ୍ତବଙ୍କ ମର ଶରୀର । କଳ୍ପନା ଶାଢୀ ପିନ୍ଧିଥିବାବେଳେ ଝିଅ ପିନ୍ଧିଥିଲେ ଡ୍ରେସ । ରାସ୍ତାରେ ପଡିଛି ବବଲିଙ୍କ ଅଧା ଫୁଙ୍ଗୁଳା ମୃତଦେହ । ଏଥିରେ ମଧ୍ୟ କେବଳ ମୁହଁକୁ ନଷ୍ଟ କରିବା ପାଇଁ ଗାଡି ଚଢାଇ ଦିଆଯାଇଥିବା ଅନୁମାନ କରାଯାଉଛି । ପୋଲିସକୁ ତଦନ୍ତରେ ଦିଗହରା କରିବା ପାଇଁ ଏକ ସୁଚିନ୍ତିତ ଯୋଜନା ମୁତାବକ ପୁରା ହତ୍ୟାକାଣ୍ଡକୁ କାର୍ଯ୍ୟକାରୀ କରିଥିଲେ ପୂର୍ବତନ ବିଧାୟକ ଅନୁପ ସାଏ । ତେବେ ଘଟଣାଦିନ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଚଳାଉଥିଲେ ବୋଲେରୋ ଗାଡି । ତାହାହେଲେ ଯେଉଁ ଇନୋଭା ଗାଡିର ଚର୍ଚ୍ଚା ସାମ୍ନାକୁ ଆସୁଛି, ସେଥିରେ କିଏ ଥିଲେ ତାହା ହିଁ ସବୁଠାରୁ ବଡ ପ୍ରଶ୍ନ । ଏହି ରହସ୍ୟ ଉପରୁ ପରଦା ଉଠାଇବାକୁ ଉଭୟ ଅନୁପ ଓ ଡ୍ରାଇଭର ବର୍ଦ୍ଧନଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଛତିଶଗଡ ପୋଲିସ ।