ମନୀଷଙ୍କ ମୃତ୍ୟୁର ରହସ୍ୟ ଖୋଜୁଖୋଜୁ ମିଳିଲା ଶେଷ ଫଟୋ । ହୋଟେଲରୁ ବାହାରି ରାତିରେ ଏକାକୀ ଯାଉଥିବାର ଫଟୋ ସିସିଟିଭିରେ କଏଦ ।

144

କନକ ବ୍ୟୁରୋ : କିଭଳି ହେଲା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ । ଦୁଇ ଦିନ ବିତିଥିଲେ ମଧ୍ୟ ଏହି ଘଟଣା ଏବେବି ରହସ୍ୟ ଘେରରେ ରହିଛି । ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା, ସେହି ରାତିର ଏକ ଫଟୋ ପୋଲିସ ପକ୍ଷରୁ ଜାରି କରାଯାଇଛି । ଅନୁମାନ କରାଯାଉଛି ବାରରୁ ବାହାରି ମନୀଷ ଯାଉଥିବା ବେଳେ ଏହି ଫଟୋ ଉଠିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମନୀଷଙ୍କ ଦୁଇ ସାଙ୍ଗଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ କେମିତି ହେଲା, ତାର ତଦନ୍ତ ଚାଲିଥିବାବେଳେ ମିଳିଛି ମନୀଷଙ୍କ ଶେଷ ଫଟୋ । ଅନ୍ଧାର ରାତିରେ ମନୀଷ ଏକାକୀ ରାସ୍ତାରେ ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜରୁ ଜଣା ପଡୁଛି । ସିସିଟିଭି ଫୁଟେଜର ଫଟୋ ଏବେ ପୋଲିସ ହାତରେ ଲାଗିଛି । ଭୁବନେଶ୍ୱର ପାତ୍ରପଡାରେ ଥିବା ହୋଟେଲ ସାଉଥ ସିଟିରୁ ମନୀଷ ବାହାରି ଯାଉଥିବାର ଚିତ୍ର, ମୃତ୍ୟୁ ପୂର୍ବର ଶେଷ ଫଟୋ ବୋଲି ଅନୁମାନ କରାଯାଉଛି । ତେବେ ଫଟୋ ସିନା ମିଳିଛି, କିନ୍ତୁ ମନୀଷଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠି ପାରିନାହିଁ । ମୃତ୍ୟୁର ରହସ୍ୟ ଖୋଜିବାକୁ ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା ।

– ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ମନୀଷଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି
– ମୃତ୍ୟୁର କାରଣ ଇଂରାଜୀରେ ଏସଫେକ୍ସିଆ ବୋଲି କୁହାଯାଇଛି ଅର୍ଥାତ ନିଶ୍ୱାସ ନନେଇ ପାରିବାରୁ ମୃତ୍ୟୁ

ବର୍ତମାନ ପ୍ରଶ୍ନ ଉଠୁଛି ମନୀଷ ଶ୍ୱାସରୁଦ୍ଧ କେତେବେଳେ ହୋଇଥିଲେ ? ପାଣିରେ ବୁଡିବା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଥିଲେ ନା ପାଣିରେ ବୁଡିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇଗଲେ ? ପୋଖରୀରେ ବୁଡି ମନୀଷଙ୍କ ମୃତ୍ୟୁ ହୋଇଛି କି ନାହିଁ ଜାଣିବାକୁ ମୃତଦେହର ଡାଏଟମ୍ ଟେଷ୍ଟ କରାଯାଉଛି । ଏହି ପରୀକ୍ଷାରୁ ମନୀଷଙ୍କ ଶରୀରରୁ ମିଳିଥିବା ଫ୍ଲୁଇଡ ବା ପାଣି ସେହି ପୋଖରୀର ପାଣି କି ନାହିଁ ତାହା ସ୍ପଷ୍ଟ ହୋଇପାରିବ । ଫଳରେ ପୋଖରୀରେ ବୁଡିଯିବା ଫଳରେ ମନୀଷଙ୍କ ଶ୍ୱାସରୁଦ୍ଧ ହୋଇଥିଲା କି ନାହିଁ ତାହା ମଧ୍ୟ ଜଣା ପଡିଯିବ । ଏଥିପାଇଁ ସଂପୂର୍ଣ୍ଣ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡିବ । ଅର୍ଥାତ ବଡି ଫ୍ଲୁଇଡ, ଡାଏଟମ୍ ଓ ଭିସେରା ରିପୋର୍ଟରୁ ମୃତ୍ୟୁର ପୁରା ସତ ଜଣାପଡିବ । ଏପରିକି ମୃତଦେହର ପାକସ୍ତଳୀରେ ହଜମ ହୋଇନଥିବା ଖାଦ୍ୟକୁ ହାଇଦ୍ରାବାଦ ପରୀକ୍ଷା ପାଇଁ ପଠା ଯାଇଥିବା କହିଛି ପୋଲିସ ।

ଅନ୍ୟପଟେ ମନୀଷ ମୃତ୍ୟୁ ମାମଲାରେ ପୋଲିସ ହାତରେ କିଛି ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଛି । ଏପରିକି ମୃତ୍ୟୁ ପୂର୍ବରୁ ମନୀଷଙ୍କୁ ଅପହରଣ କରି ନିଆଯାଇଥିବା ଧଳା ରଙ୍ଗର ସିଆଜ କାରଟିକୁ ପୋଲିସ ଜବତ କରିଛି । ସନ୍ଦେହ ଘେରରେ ରହିଛନ୍ତି ମନୀଷଙ୍କ ସାଙ୍ଗ । ଏମାନଙ୍କୁ ପଚରା ଉଚରା ଚଳାଇଛି ପୋଲିସ । ମନୀଷଙ୍କ ସହ ଶେଷ ସମୟ ବିତାଇଥିବା ସାଙ୍ଗମାନେ ହିଁ ପୂରା ରହସ୍ୟ ଖୋଲିପାରନ୍ତି । କାରଣ ସେହିମାନେ ହିଁ ଅପହରଣରୁ ମୃତ୍ୟୁ ପର୍ଯ୍ୟନ୍ତ ମନୀଷଙ୍କ ସହ ରହିଥିବା ସନ୍ଦେହ କରାଯାଉଛି ।