କନକ ବ୍ୟୁରୋ : କାମରେ ଆସିଲାନି ବ୍ରେଲି ଲିପି ଶିକ୍ଷା । ବାତିଲ ହେଲା ନୂଆପଡାର ଦୃଷ୍ଟିହୀନ ସରପଂଚ ପ୍ରାର୍ଥୀ ଶାନ୍ତିଲାଲ ଶବରଙ୍କ ପ୍ରାର୍ଥୀପତ୍ର । ଦୃଷ୍ଟିବାଧିତ ହୋଇଥିବାରୁ ନୋମିନେସନ ଖାରଜ ହୋଇଥିବା ଶାନ୍ତିଲାଲ ଅଭିଯୋଗ କରିଛନ୍ତି । କୋମନା ବ୍ଲକ ଗଣ୍ଡାମେର ଦାବିରିପଡା ଗାଁର ଶାନ୍ତିଲାଲ ୨୧ ତାରିଖରେ ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବୋଲି ଦର୍ଶାଇଥିଲେ ।

Advertisment

୨୨ ତାରିଖରେ ନାମାଙ୍କନପତ୍ର ଯାଂଚ ହୋଇଥିଲା । ଏହି ସମୟରେ ବିଡିଓ ତଥା ନିର୍ବାଚନ ଅଧିକାରୀ ସୁଶାନ୍ତ ରଣା ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଥିଲେ । ଶାନ୍ତିଲାଲ ଓଡିଆ ଲେଖି ପାରୁନାହାନ୍ତି କି ପଢି ପାରୁ ନାହାନ୍ତି ତେଣୁ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଥିଲେ ନିର୍ବାଚନ ଅଧିକାରୀ । ଶାନ୍ତିଲାଲ କହିଛନ୍ତି ସେ ଓଡିଆ ପଢିପାରୁନଥିଲେ ମଧ୍ୟ ବ୍ରେଲିରେ ମାଟ୍ରିକ ପାସ କରିଛନ୍ତି । ଏବେ ଶାନ୍ତିଲାଲ ନାମାଙ୍କନ ପତ୍ର ନାକଚ ପରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ରହିଛି । ପଂଚାୟତ ନିର୍ବାଚନରେ ବ୍ରେଲି ଲିପି ନାହିଁ । ତେଣୁ ଏଥିରେ ସଂଶୋଧନ କରାଯାଇ ବ୍ରେଲି ଲିପିକୁ ସାମିଲ କରାଯାଉ ବୋଲି ଶାନ୍ତିଲାଲ ଦାବି କରିଛନ୍ତି ।

ପଞ୍ଚାୟତିରାଜ ଆଇନ ତିଆରି ହୋଇଛି। ସେହି ଆଇନକୁ ସଂଶୋଧନ କରିବା ଜରୁରି । ଯଦି ଏ ପ୍ରକାର ଆଇନ ରହିବ ତାହେଲେ ଓଡ଼ିଶାରେ ରହୁଥିବା ଦିବ୍ୟାଙ୍ଗ ଭାଇ, ଭଉଣୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ରହିଥିଲେ ମଧ୍ୟ ରାଜନୀତି ଅଧିକାରରୁ ବଞ୍ଚିତ ହେବେ । ବିଦ୍ୟାଙ୍ଗମାନେ ସମାଜକୁ କିଛି ଦିଗ୍‌ଦର୍ଶନ ଦେବାକୁ ଯାଉଥିବା ବେଳେ ପଞ୍ଚାୟତ ଆଇନ ଏଥିରେ ବାଧା ସାଜିଛି ବୋଲି ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ଶ୍ରୀ ଶବର ରାଜ୍ୟ ନିର୍ବାଚନ କମିସନଙ୍କୁ ମଧ୍ୟ ଜଣାଇଛନ୍ତି । ପ୍ରସଙ୍ଗକୁ ଗମ୍ଭୀରତାର ସହ ନେବାକୁ ସେ ଦାବି କରିଛନ୍ତି ।