କନକ ବ୍ୟୁରୋ : କରୋନା ଟିକା ନେଇ ଯେତିକି ବ୍ୟାକୁଳତାର ସହ ଲୋକେ ଅପେକ୍ଷା କରିଥିଲେ, ମନରେ ରହିଥିଲା ସେତିକି ଆଶଙ୍କା । ତେବେ ପ୍ରଥମ ଦିନର ଟିକାକରଣ ଅନେକ ଆଶ୍ୱସ୍ତି ଆଣିଦେଇଛି । ଟିକା ନେଇଥିବା ବ୍ୟକ୍ତି କହିଛନ୍ତି, ସେମାନଙ୍କ ଦେହରେ ବିଶେଷ କିଛି ପ୍ରାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇନି ।
ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ବ୍ୟକ୍ତିଙ୍କ ମଧ୍ୟରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । ପରବର୍ତୀ ସମୟରେ ସବୁ କିଛି ଠିକଠାକ୍ ରହିଛି । ପ୍ରଥମ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଅର୍ଥାତ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଛି । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ସୋମବାର ଦିନ ପୁଣି ଟିକାକରଣ ଚାଲିବ ।
ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନ୍ରେ ଟିକା ଦିଆଯିବ । ଏସବୁ ସ୍ଥାନରେ ୨୦୦ ଜଣଙ୍କୁ ଟିକା ଦିଆଯିବ । କିନ୍ତୁ ପିଏଚ୍ସି ଓ ସିଏଚ୍ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିୟମ ଅନୁସାରେ ଟିକାକରଣ ହେବ ।
ରାଜ୍ୟରେ ଟିକାକରଣ
ପ୍ରଥମ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଅର୍ଥାତ୍ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ
ରବିବାର ଟିକାକରଣ ବନ୍ଦ, ସୋମବାର ପୁଣି ଟିକାକରଣ
ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକାକରଣ
ପିଏଚ୍ସି ଓ ସିଏଚ୍ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିୟମ ଅନୁସାରେ ଟିକା ଦିଆଯିବ
ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ସେପଟେ ବିପିଏଲ୍ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଟିକା ଦେବା ପାଇଁ ଦାବି କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।
ଶନିବାର ଦିନଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ସିରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲାଙ୍କ ଠାରୁ ଆରମ୍ଭ କରି ଦେଶର ଅନେକ ବଡ଼ ବଡ଼ ଡାକ୍ତର ପ୍ରଥମ ଦିନରେ ଟିକା ନେଇଛନ୍ତି । ଓଡ଼ିଶାରେ ମଧ୍ୟ ଡାକ୍ତର ଅଶୋକ ମହାପାତ୍ର, ଡାକ୍ତର ଜୟନ୍ତ ପଣ୍ଡାଙ୍କ ସମେତ ଅନେକ ବରିଷ୍ଠ ଚିକିତ୍ସକ ଟିକା ନେଇଛନ୍ତି । ଦେଶରେ କିମ୍ବା ରାଜ୍ୟରେ ସେପରି ବଡ଼ ଧରଣର ପାଶ୍ୱର୍ ପ୍ରତିକ୍ରିୟା ନେଇ ଖବର ମିଳିନାହିଁ ।