୬ ଲକ୍ଷ ନେଇ ଫେରୁଥିଲେ, ଭିଜିଲାନ୍ସ ହାବୁଡରେ ପଡିଗଲେ । ଧରାପଡିଲେ ରାୟଗଡ଼ା ଏକ୍ସସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ନିନା ବେଉରା ।

109

କନକ ବ୍ୟୁରୋ: ଦୁର୍ନୀତିରେ ଉବୁଟୁବୁ ରାୟଗଡାର ଅବକାରୀ ଅଧୀକ୍ଷକ ନିନା ବେଉରା । ଏହି ଦୁର୍ନୀତିଖୋର ଅଫିସରଙ୍କ ନାଁରେ ମାଳ ମାଳ ପିଟିସନ ପଡିବା ପରେ, ଲାଞ୍ଚ ଟଙ୍କା ନେଇ ଫେରିବା ରାସ୍ତାରେ ବାନ୍ଧିଲା ଭିଜିଲାନ୍ସ । ରାୟଗଡାରୁ ଭୁବନେଶ୍ୱର ଆସି, ମୋଟା ଅଙ୍କର ଟଙ୍କା ନେଇ ଫେରୁଥିିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଯାଇଥିଲେ ଏହି ମହିଳା ଅଫିସର । ଏପରିକି ତାଙ୍କ ନିକଟରୁ ଜବତ ୬ ଲକ୍ଷ ଟଙ୍କାର ହିସାବ ବି ଦେଇପାରିନଥିଲେ ।

ମହିଳା ଅବକାରୀ ଅଧୀକ୍ଷକ ନିନା ବେଉରାଙ୍କ ଏଭଳି କାରନାମା ପରେ ଭିଜିଲାନ୍ସ ରାଡାରକୁ ଆସିଯାଇଛନ୍ତି ତାଙ୍କ ସ୍ୱାମୀ ନିହାର ରଞ୍ଜନ ମହାନ୍ତି । ନିହାର ମାହାଙ୍ଗା ଥାନାର ଆଇଆଇସି ହୋଇଥିବାରୁ ତାଙ୍କୁ ମଧ୍ୟ ଭିଜିଲାନ୍ସ କାର୍ଯ୍ୟାଳୟରେ ୮ ଘଣ୍ଟାରୁ ଅଧିକ ସମୟ ଧରି ମାରାଥନ ଜେରା କରାଯାଇଛି । ଭୁବନେଶ୍ୱରରେ ଥିବା ଭଡା ଘର ସମେତ ଅଫିସ, ବାସଭବନ ଓ ସଂପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାଥମିକ ପର୍ଯ୍ୟାୟରେ ସୁନା ଅଳଙ୍କାର, ଘର, ଜମି, ବ୍ୟାଙ୍କ ପାସବୁକ, ବୀମା ରାଶି ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ ।

ନିନା ଏହି ୬ ଲକ୍ଷ ଟଙ୍କା କେଉଁଠୁ ଆଣିଥିଲେ? ରାୟଗଡାରେ ରହୁଥିବା ନିନା ଭୁବନେଶ୍ୱରରୁ ଟଙ୍କା ନେଇ କୁଆଡେ ଯାଉଥିଲେ? ଭିଜିଲାନ୍ସ ଅଧିକାରୀଙ୍କୁ ଜବତ ଟଙ୍କାର ହିସାବ ଦେଇପାରିଲେ ନାହିଁ କାହିଁକି? ଏ ସବୁ ପ୍ରଶ୍ନ ଏବେ ତାଙ୍କ ଦୁର୍ନୀତିର ଚେର ପାଖରେ ପହଞ୍ଚାଇବାରେ ସଫଳ ହୋଇପାରେ ।