ପେଟ୍ରୋଲ ଓ ଡିଜେଲ ଉପରେ ବଢ଼ିଲା ଏକ୍ସସାଇଜ୍ ଡ୍ୟୁଟି: ପେଟ୍ରୋଲରେ ୧୦ ଏବଂ ଡିଜେଲରେ ୧୩ ଟଙ୍କା ବଢ଼ାଇଲେ କେନ୍ଦ୍ର ସରକାର; ଖୁଚୁରା ଦର ଉପରେ ପଡ଼ିବନି ପ୍ରଭାବ, ବଢ଼ିବନି ଦର

905

କନକ ବ୍ୟୁରୋ: ରାଜସ୍ୱ ବଢ଼ାଇବା ପାଇଁ ପେଟ୍ରୋଲ ଓ ଡିଜେଲରେ ଏକ୍ସସାଇଜ୍ ଡ୍ୟୁଟି ବଢ଼ାଇଛନ୍ତି କେନ୍ଦ୍ର ସରକାର । ପେଟ୍ରୋଲରେ ୧୦ ଟଙ୍କା ଏବଂ ଡିଜେଲରେ ୧୩ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ତେବେ ଏହାର ପ୍ରଭାବ ଖୁଚୁରା ଦର ଉପରେ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି । ଅର୍ଥାତ୍ ଏହା ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନାହିଁ । ଆଜିଠାରୁ ଏହି ନୂଆ ନିର୍ଦ୍ଧାରିତ ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବ । ଏହି ବର୍ଦ୍ଧିତ ଏକ୍ସସାଇଜ୍ ଡ୍ୟୁଟିରୁ ଆସିବାକୁ ଥିବା ଟଙ୍କା ଭିତିଭୂମୀ ବିକାଶ ଏବଂ ଅନ୍ୟାନ୍ୟ ବିକାଶମୁଳକ କାମରେ ଲାଗିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ।

ପେଟ୍ରୋଲ ଓ ଡିଜେଲରେ ଯଦି ଲିଟର ପିଛା ଗୋଟିଏ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ବଢ଼ାଯାଏ, ତେବେ ଏହା ଦ୍ୱାରା ପ୍ରାୟ ୧୪ ହଜାର ୫ଶହ କୋଟି ଟଙ୍କାର ରାଜସ୍ୱ ପାଇଥାନ୍ତି କେନ୍ଦ୍ର ସରକାର । କିନ୍ତୁ ବଡ଼ କଥା ହେଉଛି, ତାଲା ବନ୍ଦ ସମୟରେ ଯେତେବେଳେ ଗାଡ଼ି ଚଳାଚଳ ବନ୍ଦ ରହିଛି, ସେତେବେଳେ ଏକ୍ସସାଇଜ୍ ଡ୍ୟୁଟି ବଢ଼ାଇବା ସରକାରଙ୍କୁ କେତେ ଲାଭ ଦେବ ଦେଖିବାର କଥା । ଦିଲ୍ଲୀ ସରକାର ଏକ୍ସସାଇଜ୍ ଡ୍ୟୁଟି ବଢ଼ାଇଥିବାର ଠିକ୍ ଗୋଟିଏ ଦିନ ପରେ ଏଭଳି ଏକ ନିଷ୍ପତି ନେଇଛନ୍ତି । ଏକ୍ସସାଇଜ୍ ଡ୍ୟୁଟି ହେଉଛି ଏକ ପରୋକ୍ଷ ଟିକସ ।