କନକ ବ୍ୟୁରୋ : ଚଢ଼ାଉ ବେଳେ ଅବକାରୀ ବିଭାଗର ଗାଡ଼ି ପୋଡ଼ିବା ପାଇଁ ମାଫିଆଙ୍କ ଉଦ୍ୟମ। କିନ୍ତୁ ବିଭାଗୀୟ ଅଧିକାରୀ ଠିକଣା ସମୟରେ ଅଭିଯୁକ୍ତକୁ କାବୁ କରିନେବାରୁ ଅଳ୍ପକେ ଗାଡ଼ି ବର୍ତ୍ତି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ମହାକାଳପଡ଼ା ବ୍ଲକ୍ ବିଜୟନଗରରେ ଦେଖିବାକୁ ମିଳିଛି।
ଅବକାରୀ ବିଭାଗ ଗତକାଲି ବିଜୟନଗର ସମେତ ବାଙ୍କିଛନ୍ଦା, ନଛିପଡ଼ା, ଏକଲାପୁର ଅଂଚଳରୁ ୬ଜଣ ବେପାରୀଙ୍କୁ ଗିରଫ କରିବା ସହ ୧୩୫ ଲିଟର୍ ଦେଶୀ-ବିଦେଶୀ ମଦ ଏବଂ ୧୩୦୦ ଲିଟର୍ ପୋଚ ଜବତ୍ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ତିନିଜଣ ସଂପର୍କରେ ମା’, ପୁଅ ଏବଂ ବୋହୂ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ପୁଅ ହିଁ ଗାଡ଼ି ପୋଡ଼ିବା ପାଇଁ ପେଟ୍ରୋଲ ଢାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରୁଥିଲା ବୋଲି ଏସ୍ଆଇ ସରୋଜ ବାଗ୍ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ଗତ କିଛିଦିନ ହେବ ଅବକାରୀ ବିଭାଗ ଚୋରାମଦ ବେପାରୀଙ୍କ ଉପରେ ଚଢ଼ାଉ ଜୋରଦାର ଚଳାଇଛି। ନିୟମିତ ବ୍ୟବଧାନରେ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦେଶୀ ଓ ବିଦେଶୀ ମଦ ଜବତ କରୁଛି। ଗତକାଲି ଖାଲବିଲସ୍ଥିତ କ୍ୱାଲିଟି ବାର୍ରୁ ମଦ ନେଇ ପଟ୍ଟାମୁଣ୍ଡାଇ ଥାନା ତେଲେଙ୍ଗାବସନ୍ତ ଗ୍ରାମର ଧିବର ମଲ୍ଲିକ ଯାଉଥିବାବେଳେ ବିଭାଗ ତାଙ୍କୁ ଧରିଥିଲା।
ଆଜି ମହାକାଳପଡ଼ାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୩୫ଲିଟର୍ ଦେଶୀ ଓ ବିଦେଶୀ ମଦ ସହ ବିପୁଳ ପରିମାଣର ପୋଚ ଜବତ କରାଯାଇଛି। ବିଜୟନଗରରୁ ମା’ ପ୍ରତିଭା ଦାସ(୬୦)ଙ୍କ ସମେତ ପୁଅ ଜ୍ଞାନରଂଜନ ଦାସ(୨୬) ଏବଂ ଏକାଲପୁରରୁ ଟିକିଲି ରାଉତ(୨୫)ଙ୍କୁ ଗିରଫ କରାଯାଇଥିବା ବେଳେ ବାଙ୍କିଛନ୍ଦାରୁ ଅଧିକାରୀ ବେହେରା, ବୃନ୍ଦାବନ ବେହେରା(୬୫) ଏବଂ ନଛିପଡ଼ାରୁ ଚଗଲା ଦାସ(୩୨)ଙ୍କୁ ଗିରଫ କରାଯାଇଛି।
ତେବେ ବିଜୟନଗରରେ ଚଢ଼ାଉ ବେଳେ ଅଭିଯୁକ୍ତ ଜ୍ଞାନ ବୋଲୋରୋ(ଓଡି-୨୯ସି-୭୫୮୫)ରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଅବକାରୀ ଅଧିକାରୀ ତାଙ୍କୁ ମାଡ଼ି ବସିବାରୁ ଗାଡ଼ି ନିଆଁ ଲାଗିବାରୁ ବର୍ତ୍ତି ଯାଇଥିଲା ବୋଲି ଏସ୍ଆଇ ଶ୍ରୀ ବାଗ୍ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏଏସ୍ଆଇ ନୁରୁଲ ରହିମ, କନେଷ୍ଟବଳ ସୁନିଲ ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ସାମିଲ ହୋଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/arrested-in-handcuffs-520x282.jpg)