କରୋନା ଭିତରେ ମଦ ଚିନ୍ତା । ଅବକାରୀ ସଚିବଙ୍କୁ ଚିଠି ଲେଖି ଅବକାରୀ କମିଶନର, ଲକଡାଉନ ଖୋଲିଲେ ହଠାତ ବଢିଯିବ ମଦର ଚାହିଦା । ନିଅଣ୍ଟ ପଡିବ ମହଜୁଦ ମଦ ।

634

କନକ ବ୍ୟୁରୋ : ତାଲାବନ୍ଦର ଅବଧି ବଢ଼ିବା ପରେ ଗ୍ରୀନ ଜୋନରେ ଅନେକ କଟକଣାକୁ କୋହଳ କରାଯାଇଛି । ଏହାରି ଭିତରେ ଓଡିଶାରେ ବନ୍ଦ ପଡିଥିବା ବଟଲିଂ ପ୍ଲାଂଟ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅବକାରୀ ସଚିବଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର । ତାଲାବନ୍ଦ ଖୋଲିବା ପରେ ମହଜୁଦ ଥିବା ମଦର ପରିମାଣ ନିଅଣ୍ଟ ହେବାର ଆଶଙ୍କା କରି ପ୍ଲାଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଛନ୍ତି । ଲକଡାଉନ ନିୟମ ପାଳନ କରିବା ସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବଟଲିଂ ପ୍ଲାଣ୍ଟ ଚଳାଇବା ପାଇଁ ନିର୍ଦ୍ଦେଶ ଦେବାକୁ ଅବକାରୀ କମିଶନର ଅନୁରୋଧ କରିଛନ୍ତି ।

ଅବକାରୀ କମିଶନର, ଅବକାରୀ ସଚିବଙ୍କୁ ଲେଖିଥିବା ଚିଠିରେ ତାଲା ବନ୍ଦ ଖୋଲିବା ପରେ ମଦର ଚାହିଦା ପୂରଣ କରିବା ସଂପର୍କରେ ଲେଖାଯାଇଛି । ଏଥିରେ କୁହାଯାଇଛି- ରାଜ୍ୟରେ ମହଜୁଦ ଥିବା ମଦ ମାତ୍ର କିଛି ଦିନ ଚାହିଦା ପୁରଣ କରିବାକୁ ସମର୍ଥ । ତେଣୁ ମାର୍ଚ୍ଚ ୩ ତାରିଖରୁ ବନ୍ଦ ପଡ଼ିଥିବା ବଟଲିଂ ପ୍ଲାଂଟକୁ ଖୋଲିବାକୁ ଅନୁମତି ଦିଆଯାଉ । କୋଭିଡ୍-୧୯ ଗାଇଡଲାଇନ୍ ଅନୁପାଳନ ଭିତରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବଟଲିଂ ପ୍ଲାଂଟ୍ ଖୋଲିବାକୁ ଏହି ଚିଠିରେ ଅବକାରୀ ସଚିବଙ୍କୁ ଅନୁରୋଧ କରାଯାଇଛି ।

ବଡ଼ କଥା ହେଉଛି ଗତକାଲି ଯେତେବେଳେ ତାଲା ବନ୍ଦର ଅବଧିକୁ ଆହୁରି ଦୁଇ ସପ୍ତାହକୁ ବଢ଼ାଇ ଦିଆଗଲା, ସେତେବେଳେ ଗ୍ରୀନ୍ ଜୋନରେ କଟକଣାକୁ କୋହଳ କରାଯାଇଛି । ଗ୍ରୀନ୍ ଜୋନରେ ମଦ ଓ ପାନ ଭଳି ଦୋକାନ ଖୋଲିବାକୁ ଅନୁମତି ମଧ୍ୟ ଦିଆଯାଇଛି । ସୂଚନା ଅନୁସାରେ ଗତ ଦେଢ଼ ମାସରେ ରାଜ୍ୟରେ ମଦ କାରବାରରେ ପ୍ରାୟ ୬ଶହ କୋଟିର କ୍ଷତି ହୋଇଛି । ଆଉ ଯଦି ୧୫ ଦିନ ବନ୍ଦ ରୁହେ, ଆହୁରି ୨ଶହ କୋଟି ଟଙ୍କାର କ୍ଷତି ହେବାର ଆକଳନ କରାଯାଉଛି । ଏହାରି ଭିତରେ ମଦ ଦୋକାନୀମାନେ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇପଡ଼ିଛି । ତେବେ ବୃହତର ସ୍ୱାର୍ଥକୁ ଦୃଷ୍ଟି ରଖି ମଦ ଦୋକାନକୁ ଆହୁରି ୧୫ ଦିନ ନଖୋଲିବା ଉଚିତ ବୋଲି କହିଛନ୍ତି ଖୋର୍ଦ୍ଧା ୱାଇନ୍ ମର୍ଚେଂଟ ଆସୋସିଏସନର ସଭାପତି ।

ତେବେ ମଦ ଦୋକାନ ଖୋଲିବା ଏବଂ ପ୍ରଡକ୍ସନ୍ ୟୁନିଟ୍ ଖୋଲିବା, ଉଭୟ ପରିପୂରକ । ପ୍ରଡକ୍ସନ୍ ୟୁନିଟ୍ ଖୋଲିଲେ, ମହଜୁଦ ଥିବା ମଦର ପରିମାଣକୁ ବଢ଼ାଇ ଯାଇପାରିବ ।