ଖାଇବା ତେଲର ଅତ୍ୟଧିକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଆଲୋଚନା : କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଜୋରଦାର ଚର୍ଚ୍ଚା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କଲା କଂଗ୍ରେସ; ବିଜେପି କହିଲା ଚାହିଦା ଓ ଆମଦାନୀର ହିସାବ ରଖନ୍ତୁ ସରକାର

166

କନକ ବ୍ୟୁରୋ : ଖାଇବା ତେଲକୁ ନେଇ ବିଧାନସଭାରେ ଉଦବେଗ । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏ ସଂପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଚାଲିଛି ସରଗରମ ଆଲୋଚନା । ରାଜ୍ୟରେ ଖାଇବା ତେଲର ଅହେତୁକ ଦରବୃଦ୍ଧି, ଅପମିଶ୍ରଣ ଓ କଳାବଜାରୀକୁ ନେଇ ଏହି ଆଲୋଚନା କରାଯାଇଛି ।

ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ପ୍ରତିଦିନ ଖାଦ୍ୟରେ ଖାଇବା ତେଲର ଆବଶ୍ୟକତା ରହିଛି । ଏହାର ମାତ୍ରାଧିକ ଦରବୃଦ୍ଧି ଫଲରେ ଗ୍ରାହକ ହନ୍ତସନ୍ତ ହେଉଛନ୍ତି । କେନ୍ଦ୍ର ସରକାର ଖାଇବା ତେଲ ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି । ଏଥିରେ ରାଜ୍ୟର ଅଂଶ ମଧ୍ୟ ରହିଛି । ବର୍ତମାନ ରାଜ୍ୟରେ ଖାଇବା ତେଲର ଦର ଦେଢଶହ ଛୁଇଁଲାଣି । କେନ୍ଦ୍ର ସରକାର ସେସ ଓ ଆମଦାନୀ ଶୁଳ୍କ ବୃଦ୍ଧି କରୁଛନ୍ତି । ତେଣୁ ତେଲ ଦରକୁ କିଭଳି ନିୟନ୍ତ୍ରଣ କରାଯିବ, ରାଜ୍ୟ ସରକାର ସେଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ସଂଗ୍ରେସ ବିଧାୟକ । ସେପଟେ ବିଜେପି ବିଧାୟକ କହିଛନ୍ତି ଆମେ ଅଣ୍ଡା, ଆଳୁ, ପିଆଜ ଓ ତେଲ ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଥିବାରୁ ସ୍ୱାବଲମ୍ବୀ ହୋଇପାରିବା ନାହିଁ ।

ବର୍ତମାନ ଖାଇବା ତେଲର ଚାହିଦା କେତେ ଓ କେତେ ଆମଦାନୀ ହେଉଛି ତାର ହିସାବ ସରକାର ଗୃହରେ ରଖିବାକୁ ଦାବି କରିଛନ୍ତି ବିଜେପି ସଦସ୍ୟ ମୋହନ ମାଝୀ । ଆବଶ୍ୟକତାଠାରୁ ଯୋଗାଣ କମ ହେଲେ ଦର ବୃଦ୍ଧି ପାଇବ ବୋଲି ସେ ଗୃହକୁ କହିଛନ୍ତି । ତେଣୁ ପଂଚାୟତ ସ୍ତରରେ ତୈଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।