ମାତ୍ରାଧିକ ବିଦ୍ୟୁତକାଟରେ ଛଟପଟ ଗାଁ ଲୋକେ । ସହରରେ କମ୍ ଗାଁରେ ହେଉଛି ୪ ଘଣ୍ଟା ବିଦ୍ୟୁତକାଟ୍

107

କନକ ବ୍ୟୁରୋ: ରାଜ୍ୟରେ ଘନ ଘନ ବିଦ୍ୟୁତ୍ କାଟ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଉଛି । ଏହାରି ଭିତରେ ଏକ ନୂଆଦିଲ୍ଲୀ ସ୍ଥିତ ଶକ୍ତି, ପରିବେଶ ଓ ଜଳ ପରିଷଦ ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସଂପର୍କରେ ତାର ରିପୋର୍ଟ ପ୍ରକାଶ କରିଛି । କାଉନ୍ସିଲ୍ ଅନ୍ ଏନର୍ଜି, ଏନ୍ଭାୟରନମେଂଟ ଏଣ୍ଡ ୱାଟର ୨୦୨୦ ରିପୋର୍ଟ ଅନୁସାରେ ଭାରତର କୌଣସି ରାଜ୍ୟ ପାୱାର କଟ୍ରୁ ମୁକ୍ତ ନୁହଁ ।

ହେଲେ ଉଦ୍ବେଗର ବିଷୟ ହେଉଛି ଓଡ଼ିଶାର ଗ୍ରାମାଂଚଳର ପାୱାର କଟ୍ ଜାତୀୟ ହାରାହାରି ପାୱାର କଟ୍ ସମୟ ଅବଧିଠାରୁ ଅଧିକ । ଜାତୀୟସ୍ତରରେ ସହରାଂଚଳରେ ଦିନକୁ ହାରାହାରି ୧ ଘଂଟା ୪୦ ମିନିଟ୍ ପାୱାର କଟ୍ ହେଉଥିବା ବେଳେ ଗ୍ରାମାଂଚଳରେ ୪ ଘଂଟା ବିଦ୍ୟୁତ୍ କାଟ୍ ହେଉଛି । ଓଡ଼ିଶାରେ କିନ୍ତୁ ଗ୍ରାମାଂଚଳରେ ଦିନକୁ ୪ ଘଂଟା ୧୦ ମିନିଟ୍ ବିଦ୍ୟୁତ୍ କାଟ କରାଯାଉଛି । ହେଲେ ସାରାଂଚଳରେ ଜାତୀୟ ହାରଠାରୁ ସାମାନ୍ୟ କମ୍ ଅର୍ଥାତ୍ ୧ ଘଂଟା ୩୦ ମିନିଟ୍ ପାଖାପାଖି ଲୋକ ଅନ୍ଧାରରେ ରହୁଛନ୍ତି । ତଥ୍ୟ ଅନୁସାରେ ଓଡ଼ିଶାରେ ଗ୍ରୀଷ୍ମ ଋତୁରେ ସର୍ବୋଚ୍ଚ ବିଦ୍ୟୁତ୍ ଚାହିଦା ୫ ହଜାର ୫ ଶହ ମେଗାୱାଟ୍ ରହୁଛି । ରାଜ୍ୟରେ ବିଭିନ୍ନ ସୂତ୍ରରୁ ପ୍ରାୟ ୬ ହଜାର ୫ ଶହ ମେଗାୱାଟ୍ ବିଦ୍ୟୁତ୍ ଉପଲବ୍ଧ ରହିଛି । ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର କ୍ଷମତା ୨୧ ଶହ ମେଗାୱାଟ୍ । ଏହି ସଂସ୍ଥା ଅତିକମ୍ରେ ୧୫ ଶହ ମେଗାୱାଟ୍ ବିଦ୍ୟୁତତ୍ ଉତ୍ପାଦନ କରିବାର ସାମର୍ଥ୍ୟ ରଖେ ।