କନକ ବ୍ୟୁରୋ : ପ୍ରେମ - ଏକ ଅପୂର୍ବ ଅନୁଭୂତି, ଅକୁହା ଆନନ୍ଦର ପରିଭାଷା । ପ୍ରେମିକା, ଆଉ ଜୀବନ ସାଥୀକୁ ପ୍ରେମ ନିବେଦନ । ସେଥିପାଇଁ ଭାଲେନଟାଇନ ଡେ’ ଠାରୁ ଆଉ ପ୍ରକୃଷ୍ଟ ସମୟ ଆଉ କେବେ ମିଳିବ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ଏହି ଦମ୍ପତିଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ଫତେପୁର ଅଂଚଳର ଶୁଭ୍ରାଂଶୁ ମହାପାତ୍ର ଓ ତାଙ୍କ ସ୍ତ୍ରୀ ଦେବସ୍ମିତା ପଣ୍ଡା । ଭାଲେନଟାଇନ ୱିକର ପ୍ରତ୍ୟେକ ଦିନକୁ ଧୁମଧାମରେ ପାଳନ କରିଛନ୍ତି ଏହି ପ୍ରେମୀ ଯୁଗଳ ।

କଲେଜରେ ପ୍ରଥମ ଦେଖାରେ ପ୍ରେମରେ ପଡିଥିଲେ ଶୁଭ୍ରାଂଶୁ ଓ ଦେବସ୍ମିତା । ଏହା ଉଭୟ ପରିବାର ଜାଣିବା ପରେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ବିବାହକୁ ମାତ୍ର ୧୫ ଦିନ ଥିଲା, ସ୍ନାୟୁଜନିତ ରୋଗରେ ପଡି ହସ୍ପିଟାଲରେ ଭର୍ତିହେଲେ ଦେବସ୍ମିତା । ସୁସ୍ଥ ହୋଇ ଘରକୁ ଫେରିଲେ ସତ, ହେଲେ ଚଲାବୁଲା କରିପାରିଲେ ନାହିଁ । କିନ୍ତୁ ଏହା ସେମାନଙ୍କ ପ୍ରେମରେ ବାଧା ସୃଷ୍ଟି କରିପାରିନଥିଲା । ଦେବସ୍ମିତାଙ୍କୁ ବିବାହ କରି ଜୀବନସାଥୀ କରିଛନ୍ତି ଶୁଭ୍ରାଂଶୁ । ଆଉ ପରସ୍ପରକୁ ନିଜର କରି ସୁଖର ସଂସାର ଗଢ଼ିଛନ୍ତି ।

ହ୍ୱିଲ ଚେୟାରରୁ ନିଜେ ଉଠିପାରନ୍ତି ନାହିଁ ଦେବସ୍ମିତା । ତାଙ୍କୁ ସହାୟତା କରିବାକୁ ଛାଇ ଭଳି ସାଙ୍ଗରେ ରୁହନ୍ତି ଶୁଭ୍ରାଂଶୁ । କଲେଜ ଦିନର ପ୍ରେମିକାକୁ ଜୀବନସାଥୀ ଭାବେ ପାଇ ନିଜକୁ ସେ ଭାଗ୍ୟବାନ ମନେ କରନ୍ତି ।