କନକ ବ୍ୟୁରୋ : ପୁରୀ ସ୍ଥିତ ଏମାର ମଠ ଖୋଳା ଆରମ୍ଭ ହୋଇଛି । ଖୋଳାଯାଉଥିବା ସ୍ଥାନକୁ ପୂର୍ବରୁ ଚିହ୍ନଟ କରିଥିଲା ପ୍ରଶାସନ । ଖୋଳା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୬ ତାରିଖର ତିନିଟି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ମେଟାଲ ଡିଟେକ୍ଟର ଦ୍ୱାରା ସ୍ଥାନକୁ ଚିହ୍ନଟ କରିଥିଲେ ବିଶେଷଜ୍ଞ ଦଳ । ଆଜି ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଖୋଳା ଆରମ୍ଭ ହୋଇଛି ।

Advertisment

ସୂଚନାଯୋଗ୍ୟ, ଗତ ବର୍ଷ ୪୫ଟି ରୁପା ଇଟା ଏବଂ ତା’ଆଗରୁ ଅତୀତରେ ୫୨୨ ଖଣ୍ଡ ରୁପା ଇଟାକୁ ନେଇ ଚର୍ଚ୍ଚାରେ ରହିଥିବା ଏହି ମଠ ଏବେ ପୁଣିଥରେ ଗୁପ୍ତଧନକୁ ନେଇ ଚର୍ଚ୍ଚାକୁ ଆସିଛି । ଏମାର ମଠ ପରିଚାଳନା ପାଇଁ ନବଗଠିତ ଟ୍ରଷ୍ଟ ବୋର୍ଡ ମଠର କାନ୍ଥ, ଚଟାଣ ଆଦିରେ ରୁପା, ହୀରା, ନୀଳା, ମାଣିକ ଭଳି ଅନେକ ମୂଲ୍ୟବାନ ଜିନିଷ ରହିଥିବା ସନ୍ଦେହ ପ୍ରକଟ କରିବା ପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ, ଦେବୋତ୍ତର ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଜି ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠ ପରିସର ଟିକିନିଖି ଯାଞ୍ଚ କରାଯାଇଛି ।

ଏମାର ମଠର ପରିଚାଳନା ଦାୟିତ୍ବ ମଠ ମହନ୍ତଙ୍କ ହାତରୁ କାଢ଼ି ନିଆଯାଇ ଦେବୋତ୍ତର ବିଭାଗ ପକ୍ଷରୁ ନବଗଠିତ ଟ୍ରଷ୍ଟ ବୋର୍ଡ ହାତରେ ସମର୍ପି ଦିଆଯାଇଥିଲା । ଟ୍ରଷ୍ଟବୋର୍ଡ ମଠ ପରିସରରେ ମାଟି ତଳେ ଆହୁରି ଅନେକ ଗୁପ୍ତଧନ ପୋତା ହୋଇ ରହିଥିବା ସନ୍ଦେହ ପ୍ରକଟ କରି ଦେବୋତ୍ତର ବିଭାଗକୁ ଚିଠି ଲେଖିଥିଲା । ଦେବୋତ୍ତର ବିଭାଗ ଜିଲ୍ଲା ପ୍ରଶାସନକୁ ମେଟାଲ୍ ଡିଟେକ୍ଟର ଜରିଆରେ ମଠ ପରିସର ଯାଞ୍ଚ କରିବାକୁ ଚିଠି ଲେଖିଥିଲା। ଜିଲ୍ଲା ପ୍ରଶାସନ ମେଟାଲ୍ ଡିଟେକ୍ଟର ପାଇଁ ଆରକ୍ଷୀ ଅଧୀକ୍ଷକଙ୍କୁ ଚିଠି କରିଥିଲା।