‘ଶଙ୍ଖ’ ଧରିଲେ ନଳିନୀକାନ୍ତ । ପାୱାର କରିଡ଼ରରୁ ରାଜନୀତି ମୈଦାନକୁ ଏଣ୍ଟ୍ରି କଲେ ପୂର୍ବତନ ପୂର୍ତ୍ତ ସଚିବ ।

298

କନକ ବ୍ୟୁରୋ: ବିଜେଡିରେ ସାମିଲ ହେଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଶଙ୍ଖ ଧରିଲେ ନଳିନୀ । ଗତ ୨୮ ତାରିଖରେ ନଳିନୀକାନ୍ତ ବିଭାଗୀୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ ନଳିନୀ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ଇସ୍ତଫା ଦେଇ ରାଜନୀତି ଜଗତରେ ପାଦ ଥାପିଛନ୍ତି । ଆଉ ନଳିନୀଙ୍କ ବିଜେଡିରେ ଯୋଗଦେବା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ଯେ, ନଳିନୀ ପଲିଟିକ୍ସରେ ନୂଆ ଇନିଂସ ଆରମ୍ଭ କରିବେ ତାହା ଆଜି ସ୍ପଷ୍ଟ ହୋଇଯାଇଛି । ଏବଂ ବିଧିବଦ୍ଧଭାବେ ଶଙ୍ଖ ଧରି ରାଜନୀତିକୁ ପ୍ରବେଶ କରିଛନ୍ତି ନଳିନୀ । ଯାହାକି ରାଜ୍ୟ ରାଜନୀତିକୁ ବେଶ୍ ଉଷ୍ମ କରିଛି ।

ସେପଟେ ନଳିନୀଙ୍କ ବିଜେଡିରେ ସାମିଲ ହେବାନେଇ ଆଗାମୀ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି । ରାଜନୀତି ସମୀକ୍ଷକଙ୍କ ମୁତାବକ ନଳିନୀ ପଶ୍ଚିମ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଆସନ ଯଥା ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳୀୟ ଟିକେଟରେ ନିର୍ବାଚନ ଲଢିପାରନ୍ତି । କେବଳ ଏତିକି ନୁହେଁ ଗତ କିଛି ଦିନ ପୂର୍ବରୁ ରେଢାଖୋଲରେ ବିଜେଡି ନେତାଙ୍କ ସହ ନଳିନୀଙ୍କ ଏକ ପୋଷ୍ଟର ଲାଗିଥିଲା । ଯାହା କି ରାଜ୍ୟ ରାଜନୀତିର ପାରଦ ବଢ଼ାଇଦେଇଥିଲା । ତେବେ ତୃତୀୟ ମହଲାର ପାୱାର କରିଡ଼ରରେ ପୂର୍ବରୁ ଦବଦବା ରଖିଥିବା ଏହି ପ୍ରଶାସକ ଏବେ ରାଜନୀତି ମୈଦାନରେ କେତେ ପତିଆରା ଜାହିର କରିପାରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଅତୀତରେ ବିଭିନ୍ନ ଘଟଣାରେ ପୂର୍ବତନ ପୂର୍ତ୍ତ ସଚିବଙ୍କୁ ସଙ୍କଟ ଘେରିଥିଲେ ସୁଦ୍ଧା ସରକାର ତାଙ୍କ ପ୍ରତି ନରମପନ୍ଥୀ ଦର୍ଶାଇବା ନେଇ ଚର୍ଚ୍ଚା ଧରିଥିଲା । ଏପରିକି ତାଙ୍କ କାର୍ୟ୍ୟକାଳ ୨୦୧୮ ମାର୍ଚ୍ଚ ମାସରେ ଶେଷ ହୋଇଥିଲା । ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ସେତେବେଳେ ରାଜ୍ୟ ସରକାର ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ଯାହାକୁ ନେଇ ବିରୋଧୀ ଅନେକ ପ୍ରଶ୍ନ ଉଠାଇଥିଲେ । ଏବେ ଶଙ୍ଖ ଧରି ପୂର୍ବତନ ପୂର୍ତ୍ତ ସଚିବ ରାଜନୀତି ଦୁନିଆରେ ନୂଆ ଇଂନିସ ଆରମ୍ଭ କରିଛନ୍ତି ।