କନକ ବ୍ୟୁରୋ: ପୂର୍ତ୍ତ ସଚିବରୁ ପାର୍ଲାମେଣ୍ଟ ଟିକେଟ୍ । ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ଶେଷରେ ସମ୍ବଲପୁର ଲୋକସଭା କ୍ଷେତ୍ର ପାଇଁ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ଟିକେଟ ଦେଇଛି ବିଜେଡି । ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ନଳିନୀଙ୍କୁ ସମ୍ବଲପୁର ମଙ୍ଗ ଧରାଇଛନ୍ତି ବିଜେଡି ସୁପ୍ରିମୋ । ପୂର୍ବରୁ ପାୱାର କରିଡ଼ରରେ ଦବଦବା ରଖିଥିବା ନଳିନୀ ସମ୍ବଲପୁର ରାଜନୀତି ମୈଦାନରେ କେତେ ସଫଳ ହୋଇପାରିବେ ତାହା ଆଗାମୀ ନିର୍ବାଚନ ଫଳାଫଳ ପ୍ରକାଶ କରିବ ।
ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରୁ ପୂର୍ତ୍ତ ବିଭାଗରେ ଦକ୍ଷତା ପରିପ୍ରକାଶ କରି ପାୱାର କରିଡ଼ରେ ନିଜର ଦବଦବା ଜାହିର କରିଥିଲେ ନଳିନୀ । ତେବେ ନିକଟରେ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବାପରେ ତାଙ୍କୁ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଜି ବିଜେଡି ସୁପ୍ରିମୋ ନଳିନୀଙ୍କୁ ଟିକେଟ୍ ଦେବାପରେ ପ୍ରଶାସକରୁ ରାଜନୀତି ଦୁନିଆରେ ନୂଆ ଇନିଂସ ଖେଳି ବିଜୟ ହାସଲ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନଳିନୀକାନ୍ତ ପ୍ରଧାନ ।
ଅନ୍ୟପଟେ ବିଜେଡିରେ ଯୋଗାଦେବା ପୂର୍ବରୁ ସମ୍ବଲପୁର କ୍ଷେତ୍ରରେ ଦଳୀୟ ନେତାଙ୍କ ସହ ପୋଷ୍ଟର ବ୍ୟାନରରେ ଶୋଭା ପାଇଥିବା ଚର୍ଚ୍ଚା ଏବେ ବାସ୍ତବତାରେ ପରିଣତ ହୋଇଛି । ଆଉ ଇଂଜିନିୟରରୁ ପ୍ରଶାସକ ଓ ପ୍ରଶାସକରୁ ରାଜନେତା ପାଲଟିଥିବା ନଳିନୀ ସମ୍ବଲପୁର ରାଜନୀତି ମୈଦାନରେ ନୂଆ ଇନିଂସ ଖେଳିବାକୁ ଅଣ୍ଟା ଭିଡ଼ିଛନ୍ତି । ତେବେ ସମ୍ବଲପୁର ଲୋକସଭା ଆସନରୁ ନଗେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ନଳିନୀଙ୍କୁ ପ୍ରାର୍ଥୀ କରିବା ପରେ ସମ୍ବଲପୁର ରାଜନୀତି ବର୍ତ୍ତମାନ ସରଗରମ ହୋଇଛି ।
ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁଥିବା ଏହି ସଂସଦୀୟ କ୍ଷେତ୍ରରେ ପୂର୍ତ୍ତ ବିଭାଗର ପୂର୍ବତନ ସଚିବ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି । କିନ୍ତୁ ସେପଟେ ଗତଥର ବିଜେଡି ପାଇଁ ବିଜୟ ସ୍ୱାଦ ଆଣିଥିବା ସାଂସଦ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ରେସରୁ ବାଦ୍ କରି ନଳିନୀଙ୍କୁ ସମ୍ବଲପୁର ମଙ୍ଗ ଧରାଇବା ପରେ ଏବେ ସମ୍ବଲପୁର ରାଜନୀତି କେଉଁ ରୂପ ଧାରଣ କରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।