ମହିଳା କୁସ୍ତିଯୋଦ୍ଧା ନିର୍ଯାତନା ମାମଲାରେ ଦିଲ୍ଲୀ ପୋଲିସର ସାଂଘାତିକ ଅଭିଯୋଗ । କହିଲା, କୌଣସି ସୁଯୋଗ ହାତଛଡା କରୁନଥିଲେ ବ୍ରିଜଭୂଷଣ
କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ହୋଇଥିବା ମାମଲାରେ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଅଭିଯୁକ୍ତ ବ୍ରିଜଭୂଷଣଙ୍କୁ କୋର୍ଟରେ ହାଜର ହେବାରୁ ମୁକ୍ତି ଦେଇଛନ୍ତି । ଏହି ସମୟରେ ଦିଲ୍ଲୀ ପୋଲିସ କୋର୍ଟରେ ଯୁକ୍ତି ଉପସ୍ଥାପନ କରି କହିଛି ଯେ, ବ୍ରିଜଭୂଷଣ ଜାଣିଥିଲେ ସେ କ’ଣ କରୁଛନ୍ତି । ଦିଲ୍ଲୀ ପୋଲିସ କହିଛି ବ୍ରିଜଭୂଷଣ ଯେତେବେଳେ ବି ସୁଯୋଗ ପାଇଛନ୍ତି ସେତେବେଳେ ସେ ମହିଳା କୁସ୍ତିଯୋଦ୍ଧାଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରୁଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀ ପୋଲିସ କହିଛି ପ୍ରଶ୍ନ ଏହା ନୁହେଁ କି ପୀଡିତା ମହିଳା କୌଣସି ପ୍ରତିକ୍ରିୟା ଦେଇଛନ୍ତି କି ନାହିଁ, ହେଲେ ଏହା ସତ୍ୟ ଯେ ତାଙ୍କ ସହିତ ଅନ୍ୟାୟ କରାଯାଇଛି । ଏହାସହ ଯେଉଁ ପ୍ରମାଣ ଓ ସାକ୍ଷୀ ପ୍ରଦାନ କରାଯାଇଛି ତାହା ବ୍ରିଜଭୂଷଣଙ୍କ ବିରୋଧରେ ଦାଖଲ କରାଯାଇଛି ଓ ଏହା ବ୍ରିଜଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ଅଟେ । ଦିଲ୍ଲୀ ପୋଲିସର ଏଭଳି ଯୁକ୍ତି ପରେ ଏବେ ବ୍ରିଜଭୂଷଣଙ୍କ ପାଇଁ ଅଡୁଆ ବଢିଛି ।
ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ପୋଲିସ ଦିଲ୍ଲୀସ୍ଥିତ ଭାରତୀୟ କୁସ୍ତିସଂଘ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କ ସହ ଘଟିଥିବା ଘଟଣା ବିଷୟରେ ଉଲ୍ଲେଖ କରି କହିଛି ଯେ ଏହି ଅଭିଯୋଗଗୁଡିକର ଅଧିକାର ଦିଲ୍ଲୀରେ ହିଁ ରହିଛି । ଜଣେ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ସଂପର୍କରେ ଦିଲ୍ଲୀ ପୋଲିସ କହିଛି ଯେ ତାଜିକିସ୍ତନାରେ ଏକ କାର୍ଯ୍ୟକ୍ରମ ସମୟରେ ବ୍ରିଜଭୂଷଣ ଅଭିଯୋଗକାରୀଙ୍କୁ କୋଠରୀକୁ ଡାକି ଜୋର ଜବରଦସ୍ତ ଆଲିଙ୍ଗନ କରିଥିଲେ । ଯେତେବେଳେ ଅଭିଯୋଗକାରୀ ଏହାକୁ ବିରୋଧ କରିଥିଲେ , ବ୍ରିଜଭୂଷଣ କହିଥିଲେ ଏହା ସେ ଜଣେ ପିତାଙ୍କ ଭଳି କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି, ବ୍ରିଜଭୂଷଣ ଯାହା କରୁଥିଲେ ତା ବାବଦରେ ସେ ଅବଗତ ଥିଲେ ।