କନକ ବ୍ୟୁରୋ : ରାଜସ୍ଥାନରେ ନିଜ ସରକାର ବିରୋଧରେ ଅନଶନ ଆରମ୍ଭ କରିଛନ୍ତି କଂଗ୍ରେସ ନେତା ସଚ୍ଚିନ ପାଇଲଟ । ଏହାକୁ ନେଇ ଦଳ କହିଛି କି, ପାଇଲଟଙ୍କ ଏଭଳି ଆଭିମୁଖ୍ୟ ଦଳ ବିରୋଧୀ ଅଟେ । ହେଲେ ସଚ୍ଚିନ ପାଇଲଟଙ୍କ ଏଭଳି ପଦକ୍ଷେପ ରାଜସ୍ଥାନ କଂଗ୍ରେସ ପାଇଁ ଭାରି ପଡିପାରେ ବୋଲି ଆକଳନ କରାଯାଉଛି । କାରଣ ଆଗାମୀ ୮ମାସ ମଧ୍ୟରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଗୋଟିଏ ପଟେ ନିଜ ସରକାର ବିରୋଧରେ ପାଇଲଟ ଅନଶନ କରୁଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଘୋଷଣା କରିବାରେ ବ୍ୟସ୍ତ । ଗେହଲଟ କହିଛନ୍ତି କି ୨୦୩୦ ସୁଦ୍ଧା ରାଜସ୍ଥାନକୁ ଦେଶର ନମ୍ବର ୱାନ ରାଜ୍ୟଭାବେ ପ୍ରସ୍ତୁତ କରାଯିବ ।

Advertisment

ସଚ୍ଚିନ ପାଇଲଟ ଆଜି ନିଜ ସରକାର ବିରୋଧରେ ଜୟପୁରର ସହିଦ ସ୍ମାରକ ଠାରେ ସମର୍ଥକଙ୍କ ସହ ଅନଶନରେ ବସିଛନ୍ତି । ଅନଶନରେ ବସିବା ପୂର୍ବରୁ ପାଇଲଟ ପ୍ରଥମେ ଜ୍ୟୋତିବା ଫୁଲେଙ୍କ ସ୍ମାରକ ନିକଟରେ ପହଂଚି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ସୂଚନା ଥାଉକି ପୂର୍ବ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା କି, ସରକାରକୁ ଫେରିଲେ ସେ ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆଙ୍କ ସରକାର ସମୟରେ ହୋଇଥିବା ସମସ୍ତ ଦୁର୍ନୀତି ବିରୋଧରେ ଯାଂଚ କରାଇବ । ହେଲେ ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସେହି ପ୍ରତିଶ୍ରୁତି ପ୍ରତି ଧ୍ୟାନ ନଦେବା ବିରୋଧରେ ପାଇଲଟ ଅନଶନରେ ବସିଛନ୍ତି ।