କଂଗ୍ରେସ ପାଇଁ ଆଉ ଏକ ବଡ ଚ୍ୟାଲେଞ୍ଜ । ଜୁନରେ ସରିବ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ, ପୁଣିଥରେ ଉଚ୍ଚସଦନକୁ ପଠାଇବା କଂଗ୍ରେସ ପାଇଁ କାଠିକର ପାଠ ।

704

୨୦୧୯ ନିର୍ବାଚନରେ କଂଗ୍ରେସକୁ ବଡ ଝଟକା ଲାଗିବା ପରେ ଏବେ ଆଉ ଏକ ସଙ୍କଟ ଆରମ୍ଭ ହେବାକୁ ଯାଉଛି । ଲୋକସଭାରେ ମାତ୍ର ୫୨ ଆସନ ପାଇଥିବା କଂଗ୍ରେସ ଏବେ ରାଜ୍ୟସଭାରେ ମଧ୍ୟ କିଛି ଆସନ ହରାଇବାକୁ ଯାଉଛି । ୫୨ ଆସନ ପାଇଥିବା କଂଗ୍ରେସକୁ ସଂସଦରେ ଗତଥର ଭଳି ବିରୋଧୀ ଦଳର ମାନ୍ୟତା ମଧ୍ୟ ମିଳିବ ନାହିଁ । ଏସବୁ ଭିତରେ କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ସରକାର ଭାଙ୍ଗିଯିବାର ସଙ୍କଟ ଦେଖାଦେଇଛି । କଂଗ୍ରେସ ନେତା କେଏନ ରଜନ୍ନାଙ୍କ କହିବା ଅନୁଯାୟୀ, ମୋଦି ପ୍ରଧାନମନ୍ତ୍ରୀ ପଦର ଶପଥ ନେବା ସହ କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିଯାଇପାରେ ।

ଏଭଳି ସଙ୍ଗୀନ ପରିସ୍ଥିତି ମଧ୍ୟରେ ଆଗାମୀ ବର୍ଷ ସୁଦ୍ଧା ରାଜ୍ୟସଭାରେ ମଧ୍ୟ ବିଜେପି ବହୁମତ ହାସଲ କରିବାକୁ ଯାଉଛି । ଏନଡିଏ ପାଖରେ ଏବେ ୧୦୨ ଜଣ ରାଜ୍ୟସଭା ସାଂସଦ ରହିଥିବା ବେଳେ ୟୁପିଏ ପାଖରେ ୬୬ ଓ ଅନ୍ୟ ଦଳ ପାଖରେ ୬୬ଟି ଆସନ ରହିଛି । ତେବେ ଆଗାମୀ ବର୍ଷ ନଭେମ୍ବର ସୁଦ୍ଧା ଏନଡିଏ ଖାତାରେ ଆହୁରି ୧୮ଟି ସିଟ୍ ଯୋଡି ହୋଇଯିବ । ଏହାସହ କିଛି ସ୍ୱାଧୀନ ଓ ଏନଡିଏକୁ ବାହାରୁ ସମର୍ଥନ କରୁଥିବା ଦଳର ରାଜ୍ୟସଭା ସଦସ୍ୟଙ୍କ ସମର୍ଥନରେ ଦଳ ବହୁମତ ହାସଲ କରିପାରେ । କିନ୍ତୁ କଂଗ୍ରେସକୁ ଏହି ଫଳାଫଳ ବ୍ୟାକଫୁଟକୁ ଠେଲିଦେବ । ଖାସକରି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା ସିଟ୍ ବଞ୍ଚାଇବା ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇପାରେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ଆସାମରୁ ରାଜ୍ୟସଭା ସାଂସଦ ରହିଛନ୍ତି । ତେବେ ତାଙ୍କର କାର୍ଯ୍ୟକାଳ ଜୁନ ମାସରେ ଶେଷ ହୋଇଯିବ । ଏସବୁ ଭିତରେ ଆସାମର ଦୁଇଟି ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ତାରିଖ ମଧ୍ୟ ଘୋଷଣା ହୋଇଛି । ତେବେ ଚଳିତଥର ଆସାମରୁ ରାଜ୍ୟସଭାକୁ ମନମୋହନ ସିଂହଙ୍କୁ ପଠାଇବା କଂଗ୍ରେସ ପାଇଁ କାଠିକାର ପାଠ । କାରଣ ଆସାମ ବିଧାନସଭାରେ କଂଗ୍ରେସର ଯେତିକି ସଦସ୍ୟ ଅଛନ୍ତି ସେହି ହିସାବରେ ମନମୋହନଙ୍କୁ ରାଜ୍ୟସଭାକୁ ପଠାଯିବା ଅସମ୍ଭବ । ଏହି ଆସନ ବିଜେପି ଖାତାକୁ ଯିବା ଏକପ୍ରକାର ନିଶ୍ଚିତ । ଏଭଳି ସ୍ଥିତିରେ ମନମୋହନଙ୍କୁ କେଉଁ ରାଜ୍ୟରୁ ରାଜ୍ୟସଭାକୁ ପଠାଯିବ ତାହା ଏବେ କଂଗ୍ରେସ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି । ତେବେ ଆସନ୍ତାବର୍ଷ ୨୨ଟି ରାଜ୍ୟର ୭୨ ଆସନରେ ନିର୍ବାଚନ ହେବ । ଆଉ ଏହି ସମୟରେ ହିଁ ମନମୋହନଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ପାଖରେ ସୁଯୋଗ ରହିଛି ।

Comments are closed.