କନକ ବ୍ୟୁରୋ: ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତେବେ ବର୍ତମାନ ବାଜପେୟୀଙ୍କୁ ହସପିଟାଲରୁ ଡିସଚାର୍ଜ କରାଯିବ ନାହିଁ । ତାଙ୍କ ସଂକ୍ରମଣ ଭଲ ହେବା ଯାଏଁ ସେ ହସପିଟାଲରେ ରହିବେ । ଏମ୍ସ ପକ୍ଷରୁ ଜାରି ହେଲଥ ବୁଲେଟିନରେ ଏହା କୁହାଯାଇଛି । ଗତରାତିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଡାଏଲିସିସି ହୋଇଛି । କୁହାଯାଉଛି, ତାଙ୍କର ମୁତ୍ରାଶୟରେ ସଂକ୍ରମଣ ହୋଇଛି । ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ୱାବଧାନରେ ବାଜପେୟୀଙ୍କ ଚିକିତ୍ସା ଚାଲିଛି । ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଟିିମ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି । ଡାକ୍ତର ଗୁଲେରିଆ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବାଜପେୟୀଙ୍କ ଚିକିତ୍ସା କରୁଛନ୍ତି ।

Advertisment

ସେପଟେ ଏମ୍ସକୁ ଯାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ଏଲ୍କେ ଆଡଭାନୀ, ମୂରଲି ମନୋହର ଯୋଶୀ, କଂଗ୍ର୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଭଳି ବହୁ ତୁଙ୍ଗ ନେତା ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଆଜି ଏମଡିଏମକେ ମୁଖ୍ୟ ଭାଇକୋ ଏମ୍ସ ଯାଇ ବାଜପେୟୀ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି । ୨୦୦୯ ମସିହାରେ ହୃଦଘାତର ଶୀକାର ହୋଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସହଜରେ ବାଜପେୟୀ କାହାକୁ ଚିହ୍ନିପାରୁ ନଥିବା ଘଟଣା ବି ତାଙ୍କ ନିକଟ ସମ୍ପର୍କୀୟଙ୍କ ଜରିଆରେ ସାମ୍ନାକୁ ଆସିଛି । ଏମିତିକି ଅଟଳ ମଧୁମେହ ରୋଗରେ ବି ପୀଡିତ ଅଛନ୍ତି ଯାହାକୁ ଗୁରୁତ୍ୱର ସହ ନେଇ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

ସେପଟେ ଅଟଳ ବିହାରୀ ବାଜପେୟୀଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି । ୟୁପିର ମୁରାଦାବାଦରେ ଲୋକେ ଯଜ୍ଞ କରିଛନ୍ତି । ଦୀର୍ଘବର୍ଷ ଧରି ଅସୁସ୍ଥ ଅଛନ୍ତି ଦେଶର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ । ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାହୁଲ ଗାନ୍ଧି, ଅମିତ ଶାହ ଓ ବରିଷ୍ଠ ନେତା ବାଜେପୟୀଙ୍କୁ ଦେଖିବାକୁ ଏମ୍ସ ଯାଇଥିଲେ ।