ସଂକ୍ରମଣକୁ ରୋକିବା ପାଇଁ ଟିକାକରଣକୁ ବଢି଼ବା ଜରୁରୀ । ମୋଦିଙ୍କୁ ଚିଠି ଲେଖି ୫ଟି ପ୍ରସ୍ତାବ ରଖିଲେ ମନମୋହନ ସିଂ ।

193

କନକ ବ୍ୟୁରୋ: ଗତ ଦୁଇ ସପ୍ତାହ ଭିତରେ ପଜିଟିଭ ରେଟ ଦୁଇଗୁଣାରୁ ଅଧିକ ବଢିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୧୨ ଦିନରେ ସଂକ୍ରମଣ ହାର ୧୬.୬୯ ପ୍ରତିଶତକୁ ଛୁଇଁଛି । ଗତବର୍ଷ ଏପ୍ରିଲରେ ଦେଶରେ ସଂକ୍ରମଣ ହାର ଥିଲା ୫ ପ୍ରତିଶତରୁ ତଳେ । ଦେଶ ଏବେ ଦ୍ରୁତ ସଂକ୍ରମଣ ଯୋଗୁଁ ଅଭାବନୀୟ ପରିସ୍ଥିତି ଦେଖା ଦେଇଛି ।

  • ଦୁଇଗୁଣ ହେଲା ସଂକ୍ରମଣ ହାର
  • ଏବେ ଶହେ ପରୀକ୍ଷାରୁ ୧୭ ପଜିଟିଭ

ଏହି ସଂଖ୍ୟା ବୟାନ କରୁଛି କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଲମ୍ବା ଡିଆଁ ମାରୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦୁଇ ସପ୍ତାହ ଭିତରେ ଦେଶରେ ପିଜିଟିଭିଟି ରେଟ ଦୁଇଗୁଣାରୁ ୧୬. ୬୯ ପ୍ରତିଶତକୁ ବୃଦ୍ଧି ପାଇଛି । ଅର୍ଥାତ୍ ଶହେ ପରୀକ୍ଷାରୁ ୧୬. ୬୯ ଜଣ ପଜିଟିଭ ଚିହ୍ନଟ ହେଉଛନ୍ତି । ଗତ ୧୨ ଦିନ ଭିତରେ ସଂକ୍ରମଣ ହାର ୮ ପ୍ରତିଶତରୁ ବଢି ୧୬.୬୯ ପ୍ରତିଶତ ହୋଇଛି । ଯାହା ଗତ ବର୍ଷ ଏପ୍ରିଲରେ ୫ ପ୍ରତିଶତରୁ ତଳେ ରହିଥିଲା । ସେହିପରି ସାପ୍ତାହିକ ସଂକ୍ରମଣ ହାର ମାସକ ଭିତରେ ୩.୦୫ ପ୍ରତିଶତରୁ ୧୩.୫୪ ପ୍ରତିଶତ ଯାଇଁ ବଢିଯାଇଛି ।

ଛତିଶଗଡର ସାପ୍ତାହିକ ସଂକ୍ରମଣ ହାର ସର୍ବାଧିକ ୩୦.୩୮% ରହିଛି । ସେହିପରି ଗୋଆରେ ୨୪.୨୪% , ମହାରାଷ୍ଟ୍ର ୨୪.୧୭% ,ରାଜସ୍ଥାନ ୨୩.୩୩%, ମଧ୍ୟପ୍ରଦେଶ ୧୮.୯୯% ରହିଛି । ଦ୍ରୁତ ସଂକ୍ରମଣ ଭିତରେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୮ଲକ୍ଷ ଟପିିଛି । ଯାହା ମୋଟ ସଂକ୍ରମିତଙ୍କ ୧୨.୧୮% । ମୋଟ ଆକ୍ଟିଭ ମାମଲାରୁ କେବଳ ମହାରାଷ୍ଟ୍ର, ଛତିଶଗଡ. ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ କେରଳରେ ଅଛନ୍ତି ୬୫.୦୨ % ସକ୍ରିୟ ସଂକ୍ରମିତ ।

ଦେଶରେ ଦ୍ରୁତ ସଂକ୍ରମଣ ଅଣାୟତ୍ତ ହୋଇପଡିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ମହାମାରୀ କରୋନାର ମୁକାବିଲା କରିବା ପାଇଁ ୫ଟି ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ନେଇ ଚିଠିରେ ଉଦବେଗ ପ୍ରକାଶ କରିଛନ୍ତି ମନମୋହନ ସିଂ । କରୋନା ବିରୋଧୀ ଲଢେଇ ପାଇଁ ସେ ୫ଟି ପରାମର୍ଶ ଦେଇଛନ୍ତି ।

  • ସରକାର ଆସନ୍ତା ୬ ମାସ ପାଇଁ କେଉଁ କେଉଁ କଂପାନୀ ଠାରୁ କେତେ ଟିକା ବରାଦ କରିଛନ୍ତି, ତାହା ସାର୍ବଜନୀନ କରନ୍ତୁ । ଯାହାଦ୍ୱାରା ଏହି ସମୟରେ ଟିକାକରଣ ପାଇଁ ଏକ ସଂଖ୍ୟା ଧାର୍ଯ୍ୟ କରାଯାଇ ପାରିବ ଓ ଟିକା ଯୋଗାଣକାରୀ ସଂସ୍ଥା ସେହି ଅନୁସାରେ ଟିକା ଯୋଗାଇବେ ।
  • ବିଭିନ୍ନ ରାଜ୍ୟକୁ ଟିକାଯୋଗାଣରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିବା ନେଇ ସରକାର ସୂଚନା ଦେବା ଆବଶ୍ୟକ । ଏହାଛଡା ଜରୁରୀକାଳୀନ ବ୍ୟବହାର ପାଇଁ ୧୦ ପ୍ରତିଶତ ଟିକା ଯୋଗାଇବା ଆବଶ୍ୟକତା ରହିଛି ।
  • ଟିକାକରଣ ପାଇଁ ସମ୍ମୁଖ ଯୋଦ୍ଧା ଚୟନରେ ରାଜ୍ୟ ସରକାରଙ୍କୁ କିଛିଟା ସ୍ୱାଧୀନତା ଦିଆଯିବା ଉଚିତ । ଯାହାଫଳରେ ୪୫ ବର୍ଷରୁ କମ ବୟସର ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ କରାଯାଇପାରିବ । ସେଥିରେ ଶିକ୍ଷକ, ବସ. ଟ୍ୟାକ୍ସି ଓ ଅଟୋ ଡ୍ରାଇଭରଙ୍କୁ ସାମିଲ କରାଯାଇ ପାରିବ ।
  • ଟିକା ନିର୍ମାଣକାରୀ କଂପାନୀଙ୍କୁ ଅନୁଦାନ ଓ ଅନ୍ୟ ସୁବିଧା ଯୋଗାଇଦେବା ଉଚିତ । ଏଥିସହ ଟିକା ନିର୍ମାଣ ପାଇଁ ଲାଇସେନ୍ସ ଦିଆଗଲେ, ଅଧିକ କଂପାନୀ ଟିକା ନିର୍ମାଣ କରିପାରିବେ । ଇସ୍ରାଇଲ ଏହି ନୀତି ଆପଣେଇଥିବାରୁ ଭାରତ ମଧ୍ୟ ଲାଇସେନ୍ସ ଦେବା ଦିଗରେ ପଦକ୍ଷେପ ନେବା ଉଚିତ । ପୂର୍ବରୁ ଏଡସର ମୁକାବିଲା ସମୟରେ ସେପରି କରାଯାଇଥିଲା ।
  • ଦେଶରେ ନିର୍ମିତ କରୋନା ଟିକା ସୀମିତ ହୋଇଥିବାରୁ ବିଦେଶରେ ନିର୍ମାଣ ହୋଇଥିବା ଟିକା ଯାହା ବ୍ୟବହାର ପାଇଁ ୟୁଏସଏଫଡିଏ ଠାରୁ ଅନୁମତି ପାଇସାରିଛି । ତୁରନ୍ତ ସେହି ଟିକା ଆମଦାନୀ କରିବା ଉଚିତ । ତା ବି ବିନା ପରୀକ୍ଷଣରେ ।

ଦେଶରେ କରୋନା ଭୟାନକ ଭାବେ ମାଡି ଚାଲିଛି । ଦେଶ ଏବ ଜରୁରୀକାଳୀନ ସ୍ଥିତି ଦେଇ ଗତି କରୁଛି । ତେଣୁ ବିଦେଶୀ ଟିକାକୁ ଦେଶରେ ମାନବ ପରୀକ୍ଷଣ କଲେ ସମୟ ନଷ୍ଟ କରିବା ଭଳି ହେବ ବୋଲି ଚିଠିରେ ଲେଖିଛନ୍ତି ମନମୋହନ ସିଂ ।